
ଭୁବନେଶ୍ୱର , 02 ଅଗଷ୍ଟ (ହି.ସ.) ୨୦୨୧ ମସିହାର ବହୁଚର୍ଚ୍ଚିତ ସହାୟକ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ
ମୃତ୍ୟୁ ମାମଲାରେ ଓଡ଼ିଶା ସରକାର ପୂର୍ବତନ ଗଜପତି ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍ଓ) ସଂଗ୍ରାମ
କେଶରୀ ବେହେରାଙ୍କୁ ନିଲମ୍ବିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଓଡ଼ିଶା ଫରେଷ୍ଟ
ଡେଭେଲପମେଣ୍ଟ କର୍ପୋରେସନ୍ (ଓଏଫ୍ଡିସି)ରେ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ କାର୍ଯ୍ୟରତ ଥିବା
ବେହେରାଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଶେଷ ନହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ସଂଗ୍ରାମ ବେହେରା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ।
ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ସହ ଅନେକ
ଆଇନଗତ ପଦକ୍ଷେପ ପରେ ସେ ଅଦାଲତରେ ଆତ୍ମସମର୍ପଣ କରିଥିଲେ।
ଏହି ଘଟଣା ୧୧ ଜୁଲାଇ ୨୦୨୧ର
ଅଟେ । ୨୦୨୦ ବ୍ୟାଚ୍ର ଓଡ଼ିଶା ଫରେଷ୍ଟ ସର୍ଭିସ୍ (ଓଏଫ୍ଏସ୍) ଅଧିକାରୀ ସୌମ୍ୟ ରଞ୍ଜନ
ମହାପାତ୍ର ତାଙ୍କ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ
ପୋଡ଼ିଯାଇଥିଲେ। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ କଟକର ସରକାରୀ ହସ୍ପିଟାଲରେ ଚିକିତ୍ସା
କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ସମଗ୍ର ରାଜ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୧୪ ଜୁଲାଇ ୨୦୨୧ରେ
ମୃତ ଅଧିକାରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ଅଭିଯୁକ୍ତ ଭାବେ
ନାମ ଉଲ୍ଲେଖ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା