
ବଲାଙ୍ଗୀର, ୨୭ ଅଗଷ୍ଟ(ହି.ସ.) – ଭାରତୀୟ ସେନାର ଏଆର୍ଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ୍, ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ ପଦବୀ ପାଇଁ ଆସନ୍ତା ୨୦୨୬ ଅକ୍ଟୋବର ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏକ ସେନା ନିଯୁକ୍ତି ରାଲିର ଆୟୋଜନ କରାଯାଉଛି। ଏହି ନିଯୁକ୍ତି ରାଲି ଝାରସୁଗୁଡ଼ା ସ୍ଥିତ ମାଲିମୁଣ୍ଡା ଠାରେ ଥିବା କ୍ରିକେଟ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀମାନେ ଭାଗ ନେଇପାରିବେ।
ପୂର୍ବରୁ ଆୟୋଜିତ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ମନୋନୀତ(ସୋର୍ଟଲିଷ୍ଟେଡ୍) ହୋଇଥିବା ପ୍ରାର୍ଥୀମାନଙ୍କୁ ହିଁ ଏହି ରାଲିରେ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ନିମନ୍ତ୍ରଣ କରାଯାଇଛି।
ମନୋନୀତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କ ପ୍ରବେଶପତ୍ର ସେମାନଙ୍କର ପଞ୍ଜୀକୃତ ଇମେଲ୍ ଆଇଡିକୁ ପୂର୍ବରୁ ପଠାଯାଇ ସାରିଛି। ଏହାବ୍ୟତୀତ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜ ପ୍ରୋଫାଇଲ୍ରେ ଲଗ୍ଇନ୍ କରି ସେମାନଙ୍କର ଏଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ। ରାଲି ସମ୍ବନ୍ଧୀୟ କୌଣସି ବିଶେଷ ସୂଚନା, ସନ୍ଦେହ କିମ୍ବା ସହାୟତା ପାଇଁ ପ୍ରାର୍ଥୀମାନେ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁରର ଅଫିସିଆଲ୍ ଫୋନ୍ ନମ୍ବର ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ରେ ସିଧାସଳଖ ଭାବେ ଯୋଗାଯୋଗ କରିପାରିବେ।
ଏତଦ୍ୱ୍ୟତୀତ ସେନା ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ଯୋଗ୍ୟତା ଭିତିକ ହୋଇଥିବାରୁ ପ୍ରାର୍ଥୀମାନଙ୍କୁ ଅସାଧୁ ଦଲାଲ କିମ୍ବା ଏଜେଂଟମାନଙ୍କ ଠାରୁ ଦୂରେଇ ରହିବା ସହ ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟା ସମୟରେ ନିଜର କୌଣସି ମୂଳ ପ୍ରମାଣପତ୍ର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର ନକରିବା ପାଇଁ ପରାମର୍ଶ ଦିଆଯାଉଛି। ରାଲି ସମୟରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା କିମ୍ବା ନିଯୁକ୍ତିର ପ୍ରଲୋଭନ ଦେଖାଉଥିବା ଦଲାଲମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ବେସାମରିକ ପ୍ରଶାସନ ସହିତ ମିଳିତ ଭାବେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଯଦି କୌଣସି ବ୍ୟକ୍ତି ଏପରି ଅସାଧୁ କାର୍ଯ୍ୟକଳାପରେ ଲିପ୍ତ ଥିବା ନଜରକୁ ଆସନ୍ତି, ତେବେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ଏଆର୍ଓ ସମ୍ବଲପୁରର କର୍ମଚାରୀଙ୍କୁ ସୂଚନା ଦେବା ପାଇଁ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ