
ଝାରସୁଗୁଡ଼ା, ୨୭ ଅଗଷ୍ଟ (ହି.ସ.)- ଲଇକେରା ବ୍ଲକ୍ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମବାସୀଙ୍କ ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା ପରେ ସେ ଖୁନ୍ତାମାଲ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ୟାଗୁଡ଼ିକର ସରଜମିନ ଅନୁଧ୍ୟାନ କରିଛନ୍ତି।
ଗତ ଦୁଇ ଦିନ ଧରି ଗ୍ରାମରେ ଗାଧୁଆ ଘର ନିର୍ମାଣ, ପୋଖରୀରେ ପାହାଚ ନିର୍ମାଣ, ଖରାପ ରାସ୍ତାଘାଟ ଓ ଆଲୋକୀକରଣ ଭଳି ସମସ୍ୟାକୁ ନେଇ ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ନିର୍ବାଚନ ପରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଗ୍ରାମକୁ ନ ଆସିବା ଏବଂ ଲୋକଙ୍କ ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦେଉନଥିବା ନେଇ ମଧ୍ୟ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।
ଏହି ଖବର ପାଇବା ପରେ ଦୀପାଳୀ ଦାସ ତୁରନ୍ତ ଖୁନ୍ତାମାଲରେ ପହଂଚି ଗ୍ରାମବାସୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ। ନବ ଦାସ ଫାଉଣ୍ଡେସନ ପକ୍ଷରୁ ଗ୍ରାମରେ ତୁରନ୍ତ ଆଲୋକୀକରଣ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଜିଲ୍ଲା ପରିଷଦ ପାଣ୍ଠି ମାଧ୍ୟମରେ ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଏବଂ ଅଂଚଳରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
ଏହି ଅବସରରେ ଦୀପାଳୀ କହିଥିଲେ, କେବଳ ପ୍ରଚାର ଓ ଚର୍ଚ୍ଚାରେ ସୀମିତ ନ ରହି ଗ୍ରାମବାସୀଙ୍କ ମୌଳିକ ସମସ୍ୟାକୁ ବୁଝି ତାହାର ସମାଧାନ କରିବା ହିଁ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ଲୋକଙ୍କ ସୁଖ ଓ ସମସ୍ୟାକୁ ଚିହ୍ନଟ କରି ସମାଧାନ କରିବା ଜନପ୍ରତିନିଧିଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ। ଏଥିସହ ବର୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀ ରାଜନୈତିକ ସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ଖୁନ୍ତାମାଲ ଗ୍ରାମବାସୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ସରପଂଚ ସବ୍ୟସାଚୀ ସାହୁ, ସମିତି ସଭ୍ୟା ରସବତୀ କିସାନ, ସନାତନ କିସାନ, ମିଥିଲା କିସାନ, ଅନିଲ ନାୟକ, ଜିତେନ୍ଦ୍ର ରଣା, ପ୍ରଦୀପ ପଟେଲ, ଅଜିତ ପଟେଲ, ଗଜପତି କିସାନ, ଗୁରୁଚରଣ ଦେଓ, ସନ୍ତୋଷ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ