
ରାଉରକେଲା, ୨୭ ଅଗଷ୍ଟ (ହି.ସ.)- ଚଳିତ ମାସ ୧୪ ତାରିଖରୁ ରାଉରକେଲାରୁ ବନ୍ଧୁକ ମାମଲାରେ ଫେରାର ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କୁ ଗତକାଲି ବିହାର ପୁଲିସ ଠାବ କଲା ପରେ ଓଡିଶା ପୁଲିସ ଆଜି ବିହାରରୁ ଧରି ରାଉରକେଲା ଫେରୁଥିବା ଜଣାପଡିଛି। ଏନେଇ ପୁଲିସ କିଛି କହିନଥିବା ବେଳେ ରାଉରକେଲା ସର୍କିଟ ହାଉସରେ ପ୍ରାୟ ୨୧ ଦିନ କାଳ ଜଘନ୍ୟ ଅପରାଧୀ ମାନେ ଗୁଳି ପିସ୍ତଲ ସହ ରହିବା ଅପରାଧ ଲାଗି ପ୍ଲାନ କରିବା ପଛରେ ମନ୍ତ୍ରୀଙ୍କ ଏହି ପ୍ରତିନିଧିଙ୍କ ହାତ ଥିବା ପୁଲିସ ଜାଣିପାରିବା ପରେ ପାଶ୍ବାନ ବିହାରରେ ଲୁଚିଥିଲେ। ପୁଲିସ ୬ଟି ଟିମ୍ କରି ତାଙ୍କୁ ଖୋଜିଥିଲେ ବି ପାଇନଥିଲା। ଗତକାଲି ବିହାର ପୁଲିସ ତାଙ୍କୁ ସମସ୍ତିପୁରରୁ ଧରିବା ପରେ ଆଜି ସେ ରାଉରକେଲା ପୁଲିସ ହାତକୁ ଆସିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରାଉରକେଲାରେ ବିଧାୟକ ହେବାର ସ୍ବପ୍ନ ଦେଖି ମନ୍ତ୍ରୀଙ୍କ ହାୱାରେ ଷ୍ଟିଲପ୍ଲାଣ୍ଟରୁ ଗୋଟିଏ ଘର ନେଇଥିବା ବେଳେ ଜଙ୍ଗଲ ଜମିରେ ଜବରଦଖଲ କରି ଅଫିସ କରିଥିଲେ। ପୂର୍ବରୁ ଗଂଜେଇ ଚଲାଣ ଠାରୁ ଆରମ୍ଭ କରି ୧୭ଟି ଅପରାଧରେ ସାମିଲ ରହି କାଇଦା କରି ମନ୍ତ୍ରୀଙ୍କ ପାଖ ଲୋକ ହୋଇ ଅପରାଧକୁ ବଢ଼ାଇଥିଲେ। କେନ୍ଦ୍ରୀୟ ସହାୟତାରେ ବିହାର ଠାରୁ ଓଡ଼ିଶା ଯାଏ ନାନା ପ୍ରକଳ୍ପରେ ପଶି ବହୁ ଅର୍ଥର ମାଲିକ ହେବାରେ ସେ ସଫଳ ହୋଇଥିବା କୁହାଯାଉଛି। ସେପଟେ ମନ୍ତ୍ରୀଙ୍କ ହାୱାରେ ପାଇଥିବା ଷ୍ଟିଲ ପ୍ଲାଣ୍ଟ ଘରକୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ତାଲା ପକାଇଥିବା ବେଳେ ଡ଼ିଏଫଓ କହିଛନ୍ତି ଜଙ୍ଗଲ ଜାଗାରେ ଥିବା ଘର ଭଙ୍ଗା ହେବ। ଏହି ଯୁବ ନେତାଙ୍କ ଏଭଳି କାରବାର ମନ୍ତ୍ରୀ ଜୁଏଲଙ୍କ ନୀରବତା ମନ୍ତ୍ରୀଙ୍କ ଛବିକୁ ନଷ୍ଟ କରିବା ସହ ଦଳକୁ ମଧ୍ୟ ଜିଲ୍ଲାରେ ବଦନାମ କରିଛି। ଯାହାର ମରାମତି ଅସମ୍ଭବ। ଜିଲ୍ଲାରେ ବିଜେପି ସଂଗଠନ ଦୁର୍ବଳ ଥିବା ବେଳେ ଲୋକେ ଜୁଏଲଙ୍କୁ ପୁରାତନ ନେତା ଭାବେ ନିର୍ବାଚିତ କରୁଥିଲେ, ହେଲେ ଜୁଏଲଙ୍କ ବିହାରୀ ପ୍ରେମ ଏବେ ତାଙ୍କ ଲାଗି ବିପଦ ହେବା ସହ ଦଳ ଲାଗି ବିପଦ ଆଣିଥିବା କୁହାଯାଉଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ