ନଙ୍ଗାମହଲାରେ ନିଜ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା, ଘଟଣାସ୍ଥଳରେ ଏସ୍ପି ମନୋଜ ରାଉତ ଓ ସାଇଂଟିଫିକ୍ ଟିମ୍
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୧୮ ନଂ ୱାର୍ଡ ନଙ୍ଗାମହଲା ବସ୍ତିରେ ପାରିବାରିକ କଳହର କରୁଣ ପରିଣତ ଜନିତ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରାଥମିକ ସୂତ୍ରରୁ ଯାହା ଜଣାଯାଏ ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଛି। ଏ
NANGHAMAHALA HUSBAND-WIFE MURDER & SUICIDE CASE


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୧୮ ନଂ ୱାର୍ଡ ନଙ୍ଗାମହଲା ବସ୍ତିରେ ପାରିବାରିକ କଳହର କରୁଣ ପରିଣତ ଜନିତ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରାଥମିକ ସୂତ୍ରରୁ ଯାହା ଜଣାଯାଏ ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଛି। ଏହି ସାହିର ସେକ ମୁସ୍ତାଫା ଜଣେ ଇଞ୍ଜିନିଅର ଅଟନ୍ତି। ସେ ଆଜକୁ ୬ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଲକ୍ଷ୍ନୌର ଜଣେ ଯୁବତୀଙ୍କୁ। ତେବେ ତାଙ୍କ ସ୍ତ୍ରୀ ଲକ୍ଷ୍ନୌରେ ରହୁଥିବା ବେଳେ ମୁସ୍ତାଫା ଯାଜପୁର ଠାରେ ଏକ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ। ଗତ ୪ ଦିନ ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀ ଲକ୍ଷ୍ନୌରୁ ଆସି ନଙ୍ଗାମହଲା ଠାରେ ପହଂଚିଥିଲେ। ଯାହା ଜଣାଯାଏ ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏପରି ସ୍ଥଳେ ହଠାତ ଆଜି ସ୍ୱାମୀ ମୁସ୍ତାଫା ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ସୋନମ ଙ୍କୁ ହତ୍ୟା କରି ନିଜେ ଘର ସିଲିଂ ଫ୍ୟାନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଆଜି ପରିବାର ଲୋକେ ଦିନ ୨ଟା ପର୍ଯ୍ୟନ୍ତ ଉଭୟ ସ୍ୱାମୀ-ସ୍ତ୍ରୀ କବାଟ ନଖୋଲିବାରୁ ତାହା ଭାଙ୍ଗି ସେମାନଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଦୁଇଜଣଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ସେନେଇ ସ୍ଥାନୀୟ ଲୋକେ ସ୍ପଷ୍ଟ ଭାବେ କିଛି ଜାଣିନଥିବା କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁରୁଣାବଜାର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା। ପରେ ପୁରୁଣାବଜାର ଥାନା ଆଇଆଇସିଙ୍କ ସମେତ ସେକେଣ୍ଡ ଅଫିସର ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ରହି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ଘଟଣାସ୍ଥଳକୁ ସୁରକ୍ଷିତ କରାଯାଇ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ଏସ୍ପି ମନୋଜ ରାଉତ ଓ ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସିଟି ଡିଏସ୍ପି ଅନୀଲ ପ୍ରଧାନ ଓ ଅନ୍ୟ ପୁଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟା ତଦାରଖ କରିଛନ୍ତି। ଘଟଣାର ପ୍ରକୃତ କାରଣ ଉଦ୍ଘାଟନ ପାଇଁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ମୃତ ସେକ୍ ମୁସ୍ତଫାଙ୍କ ପାରିବାରିକ ସୂଚନା ଅନୁଯାୟୀ, ତାଙ୍କ ପତ୍ନୀ ଉତରପ୍ରଦେଶର ବରେଲି ଅଂଚଳର । ତାଙ୍କର ଦୁଇଟି ନାବାଳିକା କନ୍ୟା ସନ୍ତାନ ଥିବାର ଜଣାପଡିଛି। ଘଟଣା ପରେ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମିଳିବା ପରେ ତାହାକୁ ଆଧାର କରି ଆଇନ ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଦୁଇ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ପୂରା ତଥ୍ୟ ସ୍ପଷ୍ଟ ହୋଇପାରିବ। ତେବେ ହତ୍ୟାର ନିଦ୍ଧିଷ୍ଟ କାରଣ ଜଣା ପଡିନଥିଲେ ମଧ୍ୟ ଏହା ଏକ ପାରିବାରିକ କଳହ ବୋଲି ଜଣାଯାଇଛି। ଏହି ଘଟଣାକୁ ନେଇ ନଙ୍ଗା ମହଲା ଅଂଚଳରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ପରିବାର ପକ୍ଷରୁ ମୃତା ସୋନମଙ୍କ ପରିବାରଙ୍କ ନିକଟକୁ ଖବର ଦିଆଯାଇଛି। ସେମାନେ ଉତରପ୍ରଦେଶରୁ ଭଦ୍ରକ ଫେରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ପୁଲିସର ତଦନ୍ତ ରିପୋର୍ଟ ଓ ପରବର୍ତୀ ପଦକ୍ଷେପକୁ ଅଂଚଳବାସୀ ଅପେକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande