
ବଲାଙ୍ଗୀର, ୨୭ ଅଗଷ୍ଟ(ହି.ସ.) – ରାତ୍ରିକାଳୀନ ସଡ଼କ ଦୁର୍ଘଟଣାରୁ ବୁଲା ଗୋରୁ ଏବଂ ଯାତ୍ରୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ବଲାଙ୍ଗୀର ପୌରାଂଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ ଅଧୀନରେ ରେଡିୟମ ବ୍ୟାଣ୍ଡ(ପ୍ରତିଫଳକ ପଟି) ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ସଚେତନତା ଓ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଛି। ରାସ୍ତାରେ ବୁଲୁଥିବା ଗୋରୁମାନେ ଅନ୍ଧାରରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ନହେବା ଯୋଗୁଁ ପ୍ରାୟତଃ ମାରାତ୍ମକ ଦୁର୍ଘଟଣା ଘଟିଥାଏ। ଏହି ସମସ୍ୟାର ସମାଧାନ ପାଇଁ ସହରର ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାକଡ଼ରେ ବୁଲୁଥିବା ପ୍ରାୟ ୧୦୦ଟି ଗୋରୁଙ୍କ ବେକ ଏବଂ ଶିଙ୍ଗରେ ଉଚ୍ଚ ପ୍ରତିଫଳନ କ୍ଷମତା ବିଶିଷ୍ଟ ରେଡ଼ିୟମ ବ୍ୟାଣ୍ଡ ବନ୍ଧାଯାଇଛି। ଫଳରେ ରାତି ସମୟରେ ଯାନବାହନର ଆଲୋକ ପଡ଼ିବା କ୍ଷଣି ଗୋରୁମାନେ ଦୂରରୁ ସ୍ପଷ୍ଟ ଜଣାପଡ଼ିବେ ଏବଂ ଦୁର୍ଘଟଣାକୁ ରୋକାଯାଇ ପାରିବ। ଏହି ଅଭିଯାନରେ ବଲାଙ୍ଗୀର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମୋହନ ମାଣିଆ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ର ଭି.ଏ.ଏସ୍. ଡାକ୍ତର ମୋନାଲି ଦାଶ ଏବଂ ଭି.ଏ.ଏସ୍. ଡାକ୍ତର ସୁରମ୍ୟା ପ୍ରିୟଦର୍ଶିନୀ ପଣ୍ଡା ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଏହାସହିତ ଏମ୍ଭିୟୁ ଓ ଏଅଚ୍ଏଲ୍ର କର୍ମଚାରୀ, ଲକ୍ଷ୍ମୀଜୋର ଫାଣ୍ଡି/ଥାନାର ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ପ୍ରାଣୀ ସମ୍ପଦ ବିଭାଗ ଏବଂ ପୋଲିସ ପ୍ରଶାସନର ଏହି ମହତ୍ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ପୌରାଂଚଳର ବାକି ଅଂଚଳରେ ଏହି ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ