



ସମ୍ବଲପୁର, ୨୭, ଅଗଷ୍ଟ (ହି.ସ.) ଆଜି ଉତରାଂଚଳ ଡିଆଇଜି ଭାବେ ଚରଣ ସିଂ ମିନା ସମ୍ବଲପୁର କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସାମ୍ପ୍ରତିକ ସମୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବିଭିନ୍ନ ଅପରାଧ ଓ ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ କର୍ମଚାରୀମାନଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ତାଲିମ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ କହିଛନ୍ତି। ମାଁ ସମଲେଶ୍ୱରୀଙ୍କୁ ଦର୍ଶନ ଓ ଆଶୀର୍ବାଦ ନେବା ପରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଶ୍ରୀ ମୀନା ଉତରାଂଚଳ ଆଇଜି ହିମାଂଶୁ କୁମାର ଲାଲଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ମୀନା କହିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ଅନୁସନ୍ଧାନ ଓ ନିରାକରଣ ତଥା ସାଧାରଣ ଜନତାଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ପ୍ରାଥମିକ ଲକ୍ଷ୍ୟ। ବିଶେଷ କରି ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ସହ ଅର୍ଗାନାଇଜ୍ଡ କ୍ରାଇମ ଓ ନିଶା କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ କଡ଼ା ଚଢ଼ାଉ ସହ ସଚେତନତା ସୃଷ୍ଟି କରାଯିବ। ସମସ୍ତ ଥାନା ଗୁଡିକରେ ଜନସାଧାରଣଙ୍କୁ ପ୍ରାଥମିକତା ଦେଇ ଅଭିଯୋଗ ଶୁଣିବା ଏବଂ ଶୀଘ୍ର ସମାଧାନ କରିବା ପାଇଁ ‘ପବ୍ଲିକ ସେଂଟ୍ର୍ରିକ ପୋଲିସିଂ’ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି।
--------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ