ପ୍ରାଥମିକ ଶିକ୍ଷା ବିଭାଗର ପଦୋନ୍ନତିରେ ଅନିୟମିତତା ଅଭିଯୋଗ
ଭୁବନେଶ୍ୱର, ୨୭ ଅଗଷ୍ଟ (ହି.ସ) - ପ୍ରାଥମିକ ଶିକ୍ଷା ବିଭାଗରେ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଏଡ୍ ଶିକ୍ଷା ସହାୟକ ସଂଘ। ବିଶେଷକରି ଢେଙ୍କାନାଳ ଜିଲ୍ଲାରେ ୨୦୧୯ ସଂଶୋଧିତ କ୍ୟାଡର ନିୟମ ଓ ଓଟିଇଟି ଯୋଗ୍ୟତା ସମ୍ପର୍କିତ ନିୟମକୁ ଅଣଦେଖା କରାଯାଇ
gl


ଭୁବନେଶ୍ୱର, ୨୭ ଅଗଷ୍ଟ (ହି.ସ) - ପ୍ରାଥମିକ ଶିକ୍ଷା ବିଭାଗରେ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଏଡ୍ ଶିକ୍ଷା ସହାୟକ ସଂଘ। ବିଶେଷକରି ଢେଙ୍କାନାଳ ଜିଲ୍ଲାରେ ୨୦୧୯ ସଂଶୋଧିତ କ୍ୟାଡର ନିୟମ ଓ ଓଟିଇଟି ଯୋଗ୍ୟତା ସମ୍ପର୍କିତ ନିୟମକୁ ଅଣଦେଖା କରାଯାଇ ପଦୋନ୍ନତି ଦିଆଯାଉଥିବା ସଂଘ ଅଭିଯୋଗ କରିଛି।

ସଂଘର ଅଭିଯୋଗ ଅନୁଯାୟୀ, କ୍ୟାଟେଗୋରୀ-୧ରେ ନିଯୁକ୍ତ କେତେକ ଶିକ୍ଷକ ପରବର୍ତୀ ସମୟରେ ଉଚ୍ଚଶିକ୍ଷାଗତ ଯୋଗ୍ୟତା ଓ ଓଟିଇଟି ହାସଲ କରି କ୍ୟାଟେଗୋରୀ-୨ରେ ପଦୋନ୍ନତି ପାଇଛନ୍ତି। ଏହାଦ୍ୱାରା ପୂର୍ବରୁ ଯୋଗ୍ୟତା ହାସଲ କରିଥିବା ଶିକ୍ଷକମାନେ ନିଜ ହକ୍ ରୁ ବଂଚିତ ହେଉଛନ୍ତି। ଇଂଟର-ସେ-ସିନିୟରିଟି ନିର୍ଦ୍ଧାରଣରେ ଓଟିଇଟି ଫଳ ପ୍ରକାଶନ ତାରିଖକୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି।

ଏନେଇ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇନଥିବା ସଂଘ କହିଛି। ଅଗଷ୍ଟ ୨୧ରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଇନ୍ସର୍ଭିସ୍ ଉଚ୍ଚଯୋଗ୍ୟତାଧାରୀ ଶିକ୍ଷକଙ୍କ ତଥ୍ୟ ଓ ଦଲିଲ ମାଗିଥିଲେ ବୋଲି ମଧ୍ୟ ସଂଘ ଦର୍ଶାଇଛି।

ସଠିକ୍ ଯାଂଚ କରି ପଦୋନ୍ନତି ତାଲିକା ପୁନଃ ପ୍ରକାଶ, ନିୟମବିରୋଧୀ ନିଯୁକ୍ତି/ପଦୋନ୍ନତିର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଦାବି ପୂରଣ ନହେଲେ ମାନବାଧିକାର ଆୟୋଗ, ଭିଜିଲାନ୍ସ ଓ ଉଚ୍ଚନ୍ୟାୟାଳୟଙ୍କ ଆଶ୍ରୟ ନେବା ସହ ଆନ୍ଦୋଳନ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ସଭାପତି ଅଜୟ କୁମାର ଧଳ ଓ ସାଧାରଣ ସମ୍ପାଦକ ଡ. ଦେବେନ୍ଦ୍ର କୁମାର ନାୟକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande