ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ
Celebrate Gangadhar Meher jayanti
Celebrate Gangadhar Meher jayanti


ଝାରସୁଗୁଡ଼ା, ୨୮ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ଟାଉନ୍ ମେହେର ଭୁଲିଆ ସମାଜ ପକ୍ଷରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମଜୟନ୍ତୀ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜୟନ୍ତୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ପରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍ ଅଡିଟୋରିୟମ୍ରେ ମୁଖ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଆରମ୍ଭରେ ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ ଓ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ସହ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ସମାରୋହରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଙ୍ଗାଧର ମେହେରଙ୍କ ପ୍ରତ୍ୟେକ ସୃଜନୀ ମାନବ ସମାଜକୁ ଶିକ୍ଷା ଓ ମାର୍ଗଦର୍ଶନ ପ୍ରଦାନ କରେ। ସେ କେବଳ ଓଡ଼ିଶାର ନୁହନ୍ତି, ସମଗ୍ର ଭାରତବର୍ଷର ଗର୍ବ ଓ ଗୌରବ। ଝାରସୁଗୁଡ଼ାରେ ଏକ ‘ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।ବିଶିଷ୍ଟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଯୋଗଦେଇ କହିଥିଲେ ଯେ, କବିଙ୍କ କାଳଜୟୀ କୃତି ‘ତପସ୍ୱିନୀ’ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଛି। ଏହି କୃତି ମାନବ ସମାଜକୁ ସତ୍ମାର୍ଗରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥାଏ।

ଏହି ଅବସରରେ ‘ଗଙ୍ଗାଧର ରତ୍ନାବଳୀ’ ମୁଖସ୍ଥ କରିଥିବା ରାମଚନ୍ଦ୍ର ପ୍ରଧାନ ଏବଂ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଳ ମେହେରଙ୍କୁ ସମାଜ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଟାଉନ୍ ସଭାପତି ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଚଉଜିଲ୍ଲା ସଭାପତି ଚନ୍ଦ୍ରଶେଖର ମେହେର, ସୁରେଶ ଚନ୍ଦ୍ର ମେହେର ଓ ପୂର୍ବତନ ସଭାପତି ନୃପଲାଲ ମେହେର ମଞ୍ଚାସୀନ ଥିଲେ। ଚଉଜିଲ୍ଲା ମେହେର ଭୁଲିଆ ସମାଜର କାର୍ଯ୍ୟକାରୀ ସଭାପତି ଶତ୍ରୁଘ୍ନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଭବାନୀ ଶଙ୍କର ମେହେର ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।

ଜୟନ୍ତୀ ସମାରୋହରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରୁ ଶତାଧିକ ମେହେର ଭୁଲିଆ ସମାଜର ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ। ତପେଶ୍ୱର ମେହେର, କ୍ରିଷ୍ଣା ମେହେର, ରାସବିହାରୀ ମେହେର, ପ୍ରଦୀପ ମେହେର, ରବି ମେହେର ଓ ସଂଜୀବ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande