


ସମ୍ବଲପୁର, ୨୮, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ପ୍ରଧାନପାଲି ଛକରେ କିଲାସ ମାଉଜା ବାସୀଙ୍କ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଏବେ ୫୮ ଦିନରେ ପହଞ୍ଚିଛି। ଜୁଲାଇ ୧ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନକୁ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଆନ୍ଦୋଳନସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଛି।
ବିଜେଡିର ସତ୍ୟ ଅନୁସନ୍ଧାନ କାରୀ କମିଟିର ଅଧ୍ୟକ୍ଷ ନିରଞ୍ଜନ ପୂଜାରୀ କହିଛନ୍ତି, ଏହି ପ୍ରସଙ୍ଗକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇ ସରକାରଙ୍କଠାରୁ ଜବାବ ମଗାଯିବ। ପ୍ରତିନିଧି ଦଳରେ ସ୍ନେହାଙ୍ଗିନୀ ଛୁରିଆ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଦଳିତ ଓ ଆଦିବାସୀ ପରିବାରଗୁଡ଼ିକ ଦୀର୍ଘବର୍ଷ ଧରି ଜୀବିକା ପାଇଁ ଏହି ଜମି ଉପରେ ନିର୍ଭରଶୀଳ। ତେଣୁ ବିସ୍ଥାପନ ପୂର୍ବରୁ ସେମାନଙ୍କ ଅଧିକାର ଓ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି।
ସ୍ଥାନୀୟ ନେତା ଫଣିନ୍ଦ୍ର ପଟ୍ଟନାୟକ ପିତାପାଲି ଓ ଗୌଡ଼ପାଲି ମୌଜାରେ ଜମି ହସ୍ତାନ୍ତର ପ୍ରସଙ୍ଗ ଉଠାଇଥିଲେ। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆନ୍ଦୋଳନକାରୀମାନେ ଧାରଣା ଜାରି ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ