ସୁଭଦ୍ରା ମଞ୍ଚରେ ରାଜନୈତିକ ବୟାନକୁ ନେଇ ଝାରସୁଗୁଡ଼ାରେ ତାତି ଟଙ୍କଧରଙ୍କ ଅଭିଯୋଗର ଜବାବ ଦେଲେ ଦୀପାଳୀ; ବିଧାୟକଙ୍କୁ ପଚାରିଲେ ୫ ପ୍ରଶ୍ନ
Ex MLA Dipali Das ask 5 questions to Tankadhar
ସୁଭଦ୍ରା ମଞ୍ଚରେ ରାଜନୈତିକ ବୟାନକୁ ନେଇ ଝାରସୁଗୁଡ଼ାରେ ତାତି ଟଙ୍କଧରଙ୍କ ଅଭିଯୋଗର ଜବାବ ଦେଲେ ଦୀପାଳୀ; ବିଧାୟକଙ୍କୁ ପଚାରିଲେ ୫ ପ୍ରଶ୍ନ


ଝାରସୁଗୁଡ଼ା, 28 ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ସହରସ୍ଥିତ ନବ ଦାସ ଏମ୍ସିଏଲ୍ ଅଡିଟୋରିୟମ୍ଠାରେ ଶୁକ୍ରବାର ଅନୁଷ୍ଠିତ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସରକାରୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ରାଜନୈତିକ ବୟାନକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଟଙ୍କଧର ତ୍ରିପାଠୀ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ଝାରସୁଗୁଡ଼ାରେ ସରକାର ଓ କ୍ଷମତାରେ ରହି ପରିବାର ଜିଲ୍ଲାକୁ ଲୁଟିବା ସହ ନିଜର ଆର୍ଥିକ ତହବିଲ୍ ଭରିଥିବା ବିଧାୟକ ଅଭିଯୋଗ କରିଥିଲେ।

ବିଧାୟକଙ୍କ ଏହି ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟିକା ଦୀପାଳୀ ଦାସ। ରକ୍ଷାବନ୍ଧନ ଭଳି ପବିତ୍ର ଦିନରେ ଏକ ସରକାରୀ ମଞ୍ଚକୁ ରାଜନୈତିକ ଆକ୍ରମଣର ମଞ୍ଚରେ ପରିଣତ କରିବା ନିମ୍ନସ୍ତରୀୟ ରାଜନୀତିର ପରିଚୟ ବୋଲି ଦୀପାଳୀ କହିଛନ୍ତି।

ସ୍ୱର୍ଗତ ନବ ଦାସ ଝାରସୁଗୁଡ଼ାର ବିକାଶ ପାଇଁ ହସ୍ପିଟାଲ, ବିମାନବନ୍ଦର, ରାସ୍ତା ଓ ସେତୁ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ନିଜର ବିକାଶର ଛାପ ଛାଡ଼ିଯାଇଛନ୍ତି। ଏହି ବିକାଶର ଧାର ପାଖରେ ପହଞ୍ଚିବା ମଧ୍ୟ ବର୍ତ୍ତମାନ ବିଧାୟକଙ୍କ ପାଇଁ ସ୍ୱପ୍ନ ବୋଲି ସେ ଦାବି କରିଛନ୍ତି।

ଏହାସହ ଆର୍ଥିକ ସ୍ୱଚ୍ଛତା ଓ ବିକାଶ କାର୍ଯ୍ୟକୁ ନେଇ ଦୀପାଳୀ ଦାସ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। ଏନ୍ଏଚ୍-୪୯ର ଫ୍ଲାଏ ଆଶ୍ ଠିକାଦାରମାନଙ୍କ ସହ ବିଧାୟକଙ୍କ ସମ୍ପର୍କ କ’ଣ? ତାଙ୍କ ବିରୋଧରେ ଉଠୁଥିବା ଆର୍ଥିକ ଅଭିଯୋଗରେ କେତେ ସତ୍ୟତା ରହିଛି? ବିଭିନ୍ନ କମ୍ପାନୀକୁ ନେଇ ଉଠୁଥିବା ଆର୍ଥିକ ଅଭିଯୋଗ ଏବଂ ପ୍ରତିମାସ ଟଙ୍କା ନେଣଦେଣ ହେଉଥିବା ଦାବି ଉପରେ ବିଧାୟକ ସ୍ପଷ୍ଟୀକରଣ ଦେବେ କି?ବିଧାୟକଙ୍କ ଜଣେ ଘନିଷ୍ଠ କର୍ମୀଙ୍କ ବିରୋଧରେ ରହିଥିବା ଠକେଇ ମାମଲାରେ ପୁଲିସ ଉପରେ କୌଣସି ପ୍ରକାରର ଚାପ ପକାଯାଉଛି କି? ଝାରସୁଗୁଡ଼ାର ଏକ ପ୍ରତିଷ୍ଠିତ କମ୍ପାନୀର ଛୋଟ ଛୋଟ ଭେଣ୍ଡରଙ୍କଠାରୁ ବିଧାୟକଙ୍କ ନିକଟତମ ଲୋକମାନେ ପ୍ରତିମାସ ଟଙ୍କା ନେଉଥିବା ଅଭିଯୋଗ ସତ କି?ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତସ୍ତରର ବିଭିନ୍ନ କାର୍ଯ୍ୟରୁ ବ୍ୟକ୍ତିଗତ କମିଶନ ନେବା ଅଭିଯୋଗ ଉପରେ ବିଧାୟକ ସ୍ପଷ୍ଟୀକରଣ ଦିଅନ୍ତୁ। ଏଥିସହ ସମସ୍ତ ଟେଣ୍ଡର ଓ ଖର୍ଚ୍ଚର ସାର୍ବଜନୀନ ହିସାବ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟମାନଙ୍କୁ ସମାଲୋଚନା କରିବା ପୂର୍ବରୁ ବିଧାୟକ ଟଙ୍କଧର ତ୍ରିପାଠୀ ନିଜର ଦୁଇ ବର୍ଷର ଆର୍ଥିକ ସ୍ୱଚ୍ଛତା ଓ ବିକାଶମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣ ହିସାବ ଝାରସୁଗୁଡ଼ାବାସୀଙ୍କ ସମ୍ମୁଖରେ ରଖନ୍ତୁ ବୋଲି ଦୀପାଳୀ ଦାସ କହିଛନ୍ତି।

ଟଙ୍କଧର ତ୍ରିପାଠୀ ଓ ଦୀପାଳୀ ଦାସଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ରାଜନୈତିକ ବାକ୍ ଯୁଦ୍ଧ ଏବେ ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande