
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.) ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ର ସଫଳତାକୁ ପ୍ରଶଂସା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଯୋଜନା ଭାରତକୁ ତା’ର ନାଗରିକଙ୍କ ସହ ଯୋଡ଼ିବାର ଧାରାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କୁ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ି ଜନଧନ ଯୋଜନା ଆର୍ଥିକ ସମାବେଶନକୁ ସଶକ୍ତିକରଣ, ସୁଯୋଗ ଓ ସମ୍ମାନର ଏକ ପ୍ରଭାବଶାଳୀ ମାଧ୍ୟମରେ ପରିଣତ କରିଛି ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଧନ ଯୋଜନା ସରକାରୀ ସୁବିଧା ଓ ଲାଭକୁ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ଏହା ସହିତ ଲୋକଙ୍କ ପାଇଁ ସଞ୍ଚୟ ଏବଂ ବିଭିନ୍ନ ଆର୍ଥିକ ସେବାର ସୁଯୋଗ ବଢ଼ିଛି। ଫଳରେ ଗରିବ, ମହିଳା ଏବଂ ସମାଜର ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆର୍ଥିକ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଧନ ଯୋଜନାର ଯାତ୍ରା ହେଉଛି ‘ଆର୍ଥିକ ଭାବେ ବଂଚିତ ହେବା ଠାରୁ ଅଂଶଗ୍ରହଣ, ନିର୍ଭରଶୀଳତାରୁ ସଶକ୍ତିକରଣ ଏବଂ ସୀମିତ ସୁଯୋଗରୁ ନୂତନ ସମ୍ଭାବନା ଦିଗରେ ଅଗ୍ରସର ହେବାର ଯାତ୍ରା।’
ଏହି ଉଲ୍ଲେଖନୀୟ ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ପ୍ରତ୍ୟେକ ନାଗରିକଙ୍କୁ ବିକାଶ ଯାତ୍ରାରେ ସାମିଲ କରିବା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।
ସେ କହିଛନ୍ତି ଯେ, ‘ବିକଶିତ ଭାରତ’ ଗଠନ ଦିଗରେ ଦେଶର ଅଗ୍ରଯାତ୍ରାରେ କୌଣସି ନାଗରିକ ଯେପରି ପଛରେ ନରହନ୍ତି, ତାହା ସୁନିଶ୍ଚିତ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଜନଧନ ଯୋଜନାର ଏହି ପରିବର୍ତ୍ତନ ପ୍ରତିଫଳିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ