ଖରିଆର ରୋଡ୍ ଏନ୍ଏଚ୍-୩୫୩ ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ ଅଭିଯାନ ସଫଳ
ଖରିଆର ରୋଡ୍ ଏନ୍ଏଚ୍-୩୫୩ ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ ଅଭିଯାନ ସଫଳ ୫ ଦିନରେ ୩.୫ କି.ମି. ରାସ୍ତାରୁ ୧୨୪ ଦୋକାନ ଉଚ୍ଛେଦ ନୂଆପଡ଼ା, ୨୮ ଅଗଷ୍ଟ(ହି.ସ.) – ଖରିଆର ରୋଡ଼୍ ସହର ଦେଇ ଯାଇଥିବା ଏନ୍ଏଚ୍-୩୫୩କୁ ଦୁଇଲେନ୍ରୁ ଚାରିଲେନ୍ରୁ ପ୍ରଶସ୍ତୀକରଣ ପାଇଁ ଚାଲିଥିବା ବ୍ୟାପକ ଉଚ୍ଛେଦ ଅଭିଯାନ ଆଜି ସଫଳତାର
Khariar road re uchhed jari


ଖରିଆର ରୋଡ୍ ଏନ୍ଏଚ୍-୩୫୩ ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ ଅଭିଯାନ ସଫଳ

୫ ଦିନରେ ୩.୫ କି.ମି. ରାସ୍ତାରୁ ୧୨୪ ଦୋକାନ ଉଚ୍ଛେଦ

ନୂଆପଡ଼ା, ୨୮ ଅଗଷ୍ଟ(ହି.ସ.) – ଖରିଆର ରୋଡ଼୍ ସହର ଦେଇ ଯାଇଥିବା ଏନ୍ଏଚ୍-୩୫୩କୁ ଦୁଇଲେନ୍ରୁ ଚାରିଲେନ୍ରୁ ପ୍ରଶସ୍ତୀକରଣ ପାଇଁ ଚାଲିଥିବା ବ୍ୟାପକ ଉଚ୍ଛେଦ ଅଭିଯାନ ଆଜି ସଫଳତାର ସହ ସମାପ୍ତ ହୋଇଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ପାଂଚ ଦିନରେ ଶେଷ ହୋଇଥିବାବେଳେ ପ୍ରାୟ ୩.୫ କିଲୋମିଟର ରାସ୍ତା ପାର୍ଶ୍ୱରେ ଥିବା ମୋଟ ୧୨୪ଟି ଦୋକାନ ଓ ଅନ୍ୟାନ୍ୟ ଅନଧିକୃତ ନିର୍ମାଣ ଉଚ୍ଛେଦ କରାଯାଇଛି।

ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଜିଲ୍ଲାପାଳ ସୁର୍ମି ସୋରେନଙ୍କ ନେତୃତ୍ୱରେ ଗଠିତ ପ୍ରଶାସନିକ ଟିମ୍ ଏହି ବୃହତ୍ ଉଚ୍ଛେଦ ଅଭିଯାନକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏନ୍ଏଚ୍-୩୫୩ର ପ୍ରସ୍ତାବିତ ଚାରିଲେନ୍ ପ୍ରଶସ୍ତୀକରଣରେ ବାଧକ ସାଜୁଥିବା ଅନଧିକୃତ ନିର୍ମାଣଗୁଡ଼ିକୁ ହଟାଯିବା ପରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ଆବଶ୍ୟକ ସ୍ଥାନ ଉପଲବ୍ଧ ହୋଇଛି।

ଉଚ୍ଛେଦ ଅଭିଯାନ ସମୟରେ ପ୍ରଶାସନ ପକ୍ଷରୁ ସୁଚାରୁ ସମନ୍ୱୟ ଓ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଅଭିଯାନଟି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇପାରିଛି।

ଏହି ଅବସରରେ ଜିଲ୍ଲାପାଳ ଉଚ୍ଛେଦ ଅଭିଯାନର ସଫଳତା ପାଇଁ ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ଓ ତାଙ୍କ ଟିମ୍, ଖରିଆର ରୋଡ଼ର ବ୍ୟବସାୟୀ ସମାଜ, ପ୍ରିଂଟ ଓ ଇଲେଟ୍ରୋନିକ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ଓ ସକାରାତ୍ମକ ମନୋଭାବ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ ସହଯୋଗ ଓ ସହମତି ଯୋଗୁଁ ଏହି ବୃହତ୍ ଅଭିଯାନ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି।

ଉଚ୍ଛେଦ ଟିମ୍ରେ ନୂଆପଡ଼ା ତହସିଲଦାର ଲଳିତେନ୍ଦୁ ଦଣ୍ଡସେନା, ଅତିରିକ୍ତ ତହସିଲଦାର ଦିଲୀପ କୁମାର ପାତ୍ର, କୌସ୍ତୁଭ ସା, ଜଗଜୀବନ ମାଝୀ, ଦୀପ୍ତିମୟୀ ପାଣିଗ୍ରାହୀ ଏବଂ ରାଜସ୍ୱ ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ନାଏକଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

ଖରିଆର ରୋଡ଼୍ ସହର ଦେଇ ଯାଇଥିବା ଏନ୍ଏଚ୍-୩୫୩ର ପ୍ରଶସ୍ତୀକରଣ ଫଳରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ଓ ସୁରକ୍ଷିତ ହେବା ସହ ଅଂଚଳର ଭିତିଭୂମି ଓ ବାଣିଜ୍ୟିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande