
ଜୟପୁର, 28 ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲାରେ ପରିବା ଦର ଆକାଶଛୁଆଁ ହୁ ହୁ ହୋଇ ବଢ଼ୁଛି । କୋରାପୁଟ ଜିଲାର ଜୟପୁର, ସେମିଳଗୁଡା, କୋଟପାଡ, କୋରାପୁଟ ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଖାଦ୍ୟ ସାମଗ୍ରୀ ଦର ନିୟମିତ ବଢ଼ିବାରେ ଲାଗିଛି । ପ୍ରଶାସନ ଏହି ଦରଦାମ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଛି । ଯାହାକୁ ନେଇ ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ିଛି । ମଧ୍ୟବିତ୍ତ ଓ ଗରିବ ପରିବାରର ମାସିକ ବଜେଟ୍ ବିଗିଡ଼ି ଯାଇଛି । ବଜାର ଦର ବୃଦ୍ଧିର ସିଧାସଳଖ ପ୍ରଭାବ କୋରାପୁଟ ଜିଲାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପଡୁଛି । ଯେଉଁ ସାଧା ଥାଳି ୬୦ ଟଙ୍କାରେ ମିଳୁଥିଲା, ଏବେ ତାହା ୧୦୦ ଟଙ୍କାରେ ପହଞ୍ଚିଛି । ଆମିଷ ଥାଳି ଦେଢ଼ଶହରେ ପହଞ୍ଚିଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଏତେ ବଢ଼ିଯାଇଛି ଯେ, ଖାଦ୍ୟ ଦର ବଢ଼ାଇବାକୁ ଆମେ ବାଧ୍ୟ ହେଉଛୁ ବୋଲି ହୋଟେଲ ମାଲିକମାନେ କହିଛନ୍ତି । ଲଗାଣ ବର୍ଷା ଯୋଗୁ ମାସ ମାସ ଧରି ପାଣି ଜମି ରହିବାରୁ ପରିବା ଚାଷ ନଷ୍ଟ ହୋଇଯାଇଛି । ଖୁଚୁରା ବଜାରରେ ଆଳୁକୁ ବାଦ ଦେଲେ ଅନ୍ୟ ସମସ୍ତ ସବୁଜ ପରିବା ଦର ୫୦ ଟଙ୍କା ଅତିକ୍ରମ କରିଛି । ବାଇଗଣ ୬୦ ଟଙ୍କା, ଟମାଟୋ ୪୦ ଟଙ୍କା, କାଙ୍କଡ଼ ୬୦ ଟଙ୍କା, ଦେଶୀ କାଙ୍କଡ଼ ୧୨୦ ଟଙ୍କା, ଗାଜର ୬୦, ବିନ୍ ୮୦, , ଝୁଡ଼ଙ୍ଗ ୬୦, ଭେଣ୍ଡି ୪୦, ପୋଟଳ ୮୦ ଜହ୍ନି ୭୦, ପିଆଜ ୫୦, ବନ୍ଧାକୋବି ୫୦ , କାଶ୍ମୀର ଲଙ୍କା ୧୨୦, ସାରୁ ୬୦ ଅଦା ୧୬୦, ରସୁଣ ୧୪୦ ଟଙ୍କା ଦର ରହିଛି ବଜାରକୁ ଗଲେ ୫ଶହ ଟଙ୍କାରେ ବ୍ୟାଗ୍ ଭର୍ଜି ହେଉନି । ଚାଉଳ, ଡାଲି, ତେଲ ମଧ୍ୟ ମହଙ୍ଗା ହୋଇଛି । ଅରୁଆ ସରୁ ଚାଉଳ କେଜି ୬୨ରୁ ୬୫ ଟଙ୍କା ରହିଥିବା ବେଳେ ମୋଟା ଚାଉଳ ୫୦ରୁ ୬୦, ଉଷୁନା ଚାଉଳ ୩୫ରୁ ୬୦ ଟଙ୍କା ରହିଛି । ଚିନି ୭୦ ଟଙ୍କାରେ ପହଞ୍ଚିଥିବା ବେଳେ ପାମୋଲିନ୍ ତେଲ ୧୧୫, ସୋରିଷ ତେଲ ୧୯୫ ଟଙ୍କା ରହିଛି । ବିଭିନ୍ନ ବ୍ରାଣ୍ଡ ଅଟା ୫ କେଜିକୁ ୨୨୫ରୁ ୨୪୫ ଟଙ୍କା ବିକ୍ରି ହେଉଛି । ବିରି ଡାଲି ୧୬୦ ଟଙ୍କା ରହିଥିବା ବେଳେ ହରଡ଼ ଡାଲି ୧୨୦ରୁ ୧୪୦, ମୁଗ ଡାଲି ୧୨୦ରୁ ୧୩୫, ବୁଟ ଡାଲି ୭୦ରୁ ୯୦ ଟଙ୍କା ରହିଛି । ଗୁଡ଼ ସିଧା ୮୦ ଟଙ୍କାରେ ପହଞ୍ଚିଥିବା ବେଳେ ବେସନ ୫୫ରୁ ୭୦ ଟଙ୍କା ରହିଛି । ଡ୍ରାଏ ଫ୍ରୁଟ୍ସ୍ ମଧ୍ୟରେ କାଜୁ ୬୫୦ରୁ ୯୦୦, କିସମିସ ୨୦୦ରୁ ୪୫୦, ବାଦାମ ୭୦୦ରୁ ୯୬୦, ଖଜୁର ୮୦ରୁ ୧୫୦ ଟଙ୍କା ରହିଛି । ଏ ସବୁର ନୂଆ ପ୍ୟାକେଟ୍ ଯେବେ ବି ବଜାରକୁ ଆସୁଛି ସେଥିରେ କିଛି ଦର ବଢ଼ିଯାଉଛି । ଏସବୁ ଖୋଲାବଜାରରେ ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରୁନାହିଁ ବଜାର ଦର ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ । ଏହା ସହ ପେଟ୍ରୋଲ , ଡିଜେଲ ଦର ବି କିଛି କମ ନୁହଁ । ସାଧାରଣ ପରିବାର ଲୋକେ ବହୁ କଷ୍ଟରରେ ଜୀବନ ନିବାହ କରୁଛନ୍ତି । ଏପରେ ଦରମଦାମ ନିୟନ୍ତ୍ରଣ ନଥିବାରୁ ପ୍ରଶାସନ ନିୟନ୍ତ୍ରଣ କରିବାକୁ ବିଭିନନ ମହଲରେ ଦାବି ହୋଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି