
କେନ୍ଦୁଝର, ୨୮ ଅଗଷ୍ଟ (ହି.ସ.) - ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଆନନ୍ଦମୟ ପରିବେଶ ମଧ୍ୟରେ କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍ ହଲ୍ରେ ଆୟୋଜିତ ଜିଲ୍ଲାସ୍ତରୀୟ ଭବ୍ୟ ସମାରୋହ ଓଡ଼ିଶାର ନାରୀ ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ରଚନା କରିଛି। ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ତଥା ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ ଅବସରରେ ଜିଲ୍ଲାର ୪,୫୦,୦୦୦ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି। ସମାରୋହରେ ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂହ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦର୍ଶାଇଥିଲେ ଯେ କିପରି ଆର୍ôଥକ ସହାୟତା ଗ୍ରାମୀଣ ତଥା ସହରାଂଚଳ ଅର୍ଥନୀତିକୁ ସୁଦୃଢ଼ କରିବା ସହ ମା’ମାନଙ୍କୁ ସମ୍ମାନଜନକ ଜୀବନଯାପନର ସୁଯୋଗ ଦେଉଛି। ଏହି କାର?୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ କେନ୍ଦୁଝର ଜିଲ୍ଲାର ଦୁଇ ଜଣ ସାହସୀ ଓ ସ୍ୱାବଲମ୍ବୀ ମହିଳା - ଝୁମ୍ପୁରା ବ୍ଲକର ରେଣୁକା ବାରିକ ଏବଂ ଘଟଗାଁ ବ୍ଲକର ଜୟନ୍ତୀ ଓଝା।
ଉଭୟ ନିଜ ସଫଳତାର କାହାଣୀ ଆଜି ନୟାଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଉପସ୍ଥିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସମସ୍ତ ଜିଲ୍ଲାରେ ଉପସ୍ଥିତ ମନ୍ତ୍ରୀ ଗଣ, ସାଂସଦ ବିଧାୟକ ଓ ଲକ୍ଷ ଲକ୍ଷ ସୁଭଦ୍ରା ମା ଓ ଭଉଣୀଙ୍କୁ ଆଭାସୀ ମାଧ୍ୟମରେ ନିଜ ଅନୁଭୂତି ବଖାଣିଥିଲେ। ନିଜ ନିଜର ଆତ୍ମବିଶ୍ୱାସ, ପରିଶ୍ରମ ଏବଂ ସୁଭଦ୍ରା ଯୋଜନାର ସଠିକ୍ ଉପଯୋଗ ବଳରେ ସେମାନେ ସମଗ୍ର ଜିଲ୍ଲା ପାଇଁ ଗୌରବ ଓ ପ୍ରେରଣାର ପ୍ରତୀକ ପାଲଟିଛନ୍ତି।
ଝୁମ୍ପୁରା ବ୍ଲକର ନିବାସୀ ରେଣୁକା ବାରିକ ସଦାସର୍ବଦା ନିଜ ପାଦରେ ଛିଡ଼ା ହୋଇ ଏକ ଛୋଟ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିଲେ। ସେପ୍େଟମ୍ବର ୨୦୨୪ରେ ସେ ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ଛତୁ ଚାଷ ପ୍ରସ୍ତୁତି ସମ୍ପର୍କରେ ତାଲିମ ନେଇ କାମ ଆରମ୍ଭ କରିଥିଲେ। ତେବେ ବ୍ୟବସାୟକୁ ଆଗକୁ ନେବା ପାଇଁ ଆବଶ୍ୟକ ଥିବା ପୁଞ୍ଜି ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। ଏହି ସମୟରେ ‘ସୁଭଦ୍ରା ଯୋଜନା’ ତାଙ୍କ ଜୀବନରେ ଆଶାର ଆଲୋକ ନେଇ ଆସିଥିଲା। ଯୋଜନାରୁ ମିଳିଥିବା ଚାରୋଟି କିସ୍ତିର ମୋଟ ୨୦,୦୦୦ ଟଙ୍କାକୁ ସେ ଛତୁ ଚାଷ ପାଇଁ ଆବଶ୍ୟକୀୟ ଉପକରଣ ଓ ଭିତିଭୂମି ପ୍ରସ୍ତୁତିରେ ବିନିଯୋଗ କରିଥିଲେ। ପଂଚମ କିସ୍ତି ଅର୍ଥରାଶିକୁ ଉନ୍ନତମାନର ମଞ୍ଜି ଓ କଂଚାମାଲ କିଣିବାରେ ବ୍ୟବହାର କରି ସେ ନିଜର ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ଥାନୀୟ ବଜାରରେ ଛତୁ ବିକ୍ରି କରି ପରିବାରର ଆର୍ôଥକ ଉନ୍ନତି ସାଧନ କରିବା ସହ ରେଣୁକା ଆଜି ଗ୍ରାମୀଣ ମହିଳାମାନଙ୍କ ପାଇଁ ସ୍ୱାବଲମ୍ବନର ଏକ ଉଜ୍ଜ୍ୱଳ ଉଦାହରଣ ସାଜିଛନ୍ତି।
ସେହିପରି ଅନ୍ୟ ଜଣେ ସଫଳ ହିତାଧିକାରୀ ହେଉଛନ୍ତି ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମପଂଚାୟତର ଜୟନ୍ତୀ ଓଝା। ସେପ୍େଟମ୍ବର ୨୦୨୪ରେ ଦକ୍ଷତା ବିକାଶ କେନ୍ଦ୍ରରୁ ସିଲେଇ ଓ ଟେଲର ମେସିନ୍ ସଜାଡ଼ିବାର କଳା ଶିଖିବା ପରେ ଜୟନ୍ତୀଙ୍କ ଲକ୍ଷ୍ୟ କେବଳ ନିଜ ରୋଜଗାରରେ ସୀମିତ ନଥିଲା, ବରଂ ଗାଁର ଅନ୍ୟ ଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ସଂକଳ୍ପ ସେ ନେଇଥିଲେ। ସୁଭଦ୍ରା ଯୋଜନାରୁ ପାଇଥିବା ୨୦,୦୦୦ ଟଙ୍କା ସାହାଯ୍ୟରେ ସେ ନୂତନ ସିଲେଇ ମେସିନ୍ ଏବଂ ଆବଶ୍ୟକ ଯନ୍ତ୍ରାଂଶ କିଣି ନିଜର ବ୍ୟବସାୟକୁ ଗତିଶୀଳ କରିଥିଲେ। ଆଗକୁ ମିଳିବାକୁ ଥିବା ପଂଚମ କିସ୍ତିର ଅର୍ଥକୁ ସେ ସୂତା, କପଡ଼ା ଓ ଗାଁର ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆନୁଷଙ୍ଗିକ ସାମଗ୍ରୀ କିଣିବାରେ ବିନିଯୋଗ କରିବେ। ଜୟନ୍ତୀ ନିଜେ ସଶକ୍ତ ହେବା ସହିତ ଅନ୍ୟ ମହିଳାମାନଙ୍କୁ ରୋଜଗାରକ୍ଷମ କରି ସମାଜରେ ପରିବର୍ତନର ବାର୍ତା ବାଂଟୁଛନ୍ତି।
ରେଣୁକା ଓ ଜୟନ୍ତୀଙ୍କ ଏହି ପ୍ରେରଣାଦାୟୀ ସଫଳତା କେବଳ ସେମାନଙ୍କର ନିଜସ୍ୱ ବିଜୟ ନୁହେଁ, ବରଂ ଏହା ସମଗ୍ର କେନ୍ଦୁଝର ଜିଲ୍ଲାର ଗୌରବ। ଓଡ଼ିଶା ସରକାରଙ୍କ ‘ସୁଭଦ୍ରା ଯୋଜନା’ କିପରି ସାଧାରଣ ମହିଳାଙ୍କ ଭିତରେ ଲୁଚି ରହିଥିବା ଦକ୍ଷତାକୁ ଚିହ୍ନି ସେମାନଙ୍କୁ ଆର୍ôଥକ ଶକ୍ତି ଏବଂ ଆତ୍ମବିଶ୍ୱାସ ଯୋଗାଉଛି, ତାହା ଏହି ଦୁଇ ଜଣଙ୍କ ଯାତ୍ରାରୁ ସ୍ପଷ୍ଟ ପ୍ରମାଣିତ ହୁଏ। ନିଜର କଠିନ ଅଧ୍ୟବସାୟ ଓ ସରକାରୀ ସହାୟତାର ସଠିକ୍ ବ୍ୟବହାର କରି ଏହି ଦୁଇ ନାରୀ ଆଜି ପ୍ରମାଣ କରିଦେଇଛନ୍ତି ଯେ ଇଚ୍ଛାଶକ୍ତି ଥିଲେ ପ୍ରତ୍ୟେକ ମହିଳା ନିଜ ଭାଗ୍ୟ ନିଜେ ଲେଖିପାରିବେ ଏବଂ ସମାଜର ପ୍ରଗତିରେ ଅଂଶୀଦାର ହୋଇପାରିବେ।
ଆଜିର ଏହି ଆତ୍ମନିର୍ଭରଶୀଳ ନାରୀଶକ୍ତିର କାହାଣୀ କେବଳ କେନ୍ଦୁଝର ନୁହେଁ, ବରଂ ସାରା ଓଡ଼ିଶାର ଆଶାୟୀ ମହିଳାମାନଙ୍କ ପାଇଁ ଏକ ନୂତନ ଦିଗଦର୍ଶନ ସାଜିଛି। ସରକାରଙ୍କ ଆର୍ôଥକ ଆଧାର ଓ ନିଜର ଦୃଢ଼ ମନୋବଳ ମିଶିଗଲେ ଗ୍ରାମୀଣ ଅଂଚଳର କୋଣ ଅନୁକୋଣରେ କିପରି ସାମାଜିକ ଓ ଆର୍ôଥକ ବିପ୍ଳବ ଆସିପାରେ, ତାହାରି ଏକ ସୁନ୍ଦର ପ୍ରତିଫଳନ ସାଜିଛନ୍ତି ରେଣୁକା ଓ ଜୟନ୍ତୀ। ଆଗାମୀ ଦିନରେ ଏହି ଭଳି ହଜାର ହଜାର ସୁଭଦ୍ରା' ହିତାଧିକାରୀ ନିଜର ଉଦ୍ୟମିତା ବଳରେ ନିଜ ପରିବାର ଓ ସମାଜକୁ ସମୃଦ୍ଧିର ପଥରେ ଆଗେଇ ନେବେ, ଏଥିରେ କୌଣସି ସନ୍ଦେହ ନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA