
ନୂଆପଡ଼ା,୨୮ ଅଗଷ୍ଟ (ହି.ସ.)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତିଥିରେ ପାଳିତ ହେଉଥିବା ବେଳେ ଅଲେଖ ଧର୍ମାବଲମ୍ବୀ ସାଧୁସନ୍ଥ ଓ ମହିମା ଭକ୍ତମାନେ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ ନବାନ୍ନ ଭକ୍ଷଣ କରିଥାନ୍ତି। ଏହି ପରମ୍ପରା ଅନୁଯାୟୀ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ଐତିହାସିକ ଯୋଗୀମଠ ପାହାଡ଼ ଦେଶରେ ଥିବା ବାବା ମଠରେ ଅଲେଖ ଧର୍ମାବଲମ୍ବୀଙ୍କ ପକ୍ଷରୁ ମହାଆଡ଼ମ୍ବରରେ ନୂଆଖାଇ ପର୍ବ ପାଳିତ ହୋଇଛି। ମଠର ମୁଖ୍ୟ ବାବା ଲଛମନଙ୍କ ସମେତ ସାଧୁସନ୍ଥ ଓ ମହିମା ଭକ୍ତମାନେ ନୂଆ ଅନ୍ନ ଭକ୍ଷଣ କରିଥିଲେ। ଅଲେଖ ଧର୍ମାବଲମ୍ବୀଙ୍କ ନୂଆଖାଇ ପରମ୍ପରା ସାଧାରଣ ନୂଆଖାଇଠାରୁ କିଛିଟା ଭିନ୍ନ। ଅନ୍ୟ ଦେବଦେବୀଙ୍କୁ ଭୋଗ ଲାଗିବା ପୂର୍ବରୁ ମହିମା ଗୋସାଇଁଙ୍କୁ ପ୍ରଥମ ଭୋଗ ଅର୍ପଣ କରାଯାଇଥାଏ। ଏହି ଧାର୍ମିକ ବିଶ୍ୱାସ ଅନୁଯାୟୀ ନୂଆଖାଇ ପାଳନ କରାଯାଇଥିଲା। ଏହି ଅବସରରେ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଅଂଚଳରୁ ଭକ୍ତମାନେ ମଠକୁ ଆସି ନବାନ୍ନ ଭକ୍ଷଣ କରିଥିଲେ। ଖଡ଼ିଆଳ ବ୍ଲକର ତୁକଲା ବାବା ମଠ, ଭୈରାଜପୁର ମଠ, ସିନାପାଲି ବ୍ଲକର ଶରଧାପୁର ବାବା ମଠ, ନିଲଜି ମଠ ଏବଂ ବୋଡ଼େନ ବ୍ଲକର ପାତାଳଗଙ୍ଗା ମଠରେ ମଧ୍ୟ ଅଲେଖ ଧର୍ମାବଲମ୍ବୀମାନେ ନୂଆଁ ଅନ୍ନ ଭକ୍ଷଣ କରିଥିଲେ। ପରମ୍ପରା ଅନୁଯାୟୀ ପ୍ରଥମ ଅମଳର ଆଟ ଧାନକୁ ନୂଆ ପାତ୍ରରେ ସଂଗ୍ରହ କରି ମଠରେ ରଖାଯାଇଥିଲା। ପରେ ମାଟି ପାତ୍ରରେ ନୂଆ ଧାନକୁ ନିଆଁରେ ଭାଜି ଗୁଣ୍ଡ କରାଯାଇ ଚୁଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଘିଅ, ଗୁଡ଼, ପଂଚାମୃତ, କଦଳୀ ଓ ନଡ଼ିଆ ମିଶାଇ ନବାନ୍ନ ପ୍ରସ୍ତୁତ ହୋଇଥିଲା। ଅଲେଖ ଗୋସାଇଁଙ୍କୁ ନବାନ୍ନ ଅର୍ପଣ କରିବା ପରେ ସାଧୁସନ୍ଥମାନେ ସମୂହ ଭାବେ ନୂଆ ଅନ୍ନ ଭକ୍ଷଣ କରିଥିଲେ। ଏହାପରେ ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥିଲେ। ଶେଷରେ ସାଧୁସନ୍ଥମାନେ ବିଶ୍ୱର ମଙ୍ଗଳ ଓ ଶାନ୍ତି କାମନା କରି ଅଲେଖ ମହିମାଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ