
ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ.) - ରାଜ୍ୟରେ ଜାରି ରହିଥିବା ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ସମସ୍ୟା ଓ ସାରା ରାଜ୍ୟରୁ ଆସୁଥିବା ପୁଳାପୁଳା ଅଭିଯୋଗ, ଅସନ୍ତୋଷକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ଜନତା କଂଗ୍ରେସ ପାର୍ଟି । ଏନେଇ ଓଜେସି ପକ୍ଷରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ କହିଥିଲେ ଯେ, ଓଡ଼ିଶାରେ ବାରମ୍ବାର ବର୍ଷା ଓ ବନ୍ୟା ହୋଇ ଚାଷୀମାନଙ୍କର ଦୁଃଖକୁ ବଢ଼ାଇ ଦେଇଛି । ସରକାର ଚାଷୀମାନଙ୍କ ଦୁଃଖରେ ଦୁଃଖୀ ହେବା ବଦଳରେ ଚାଷୀମାନଙ୍କୁ ଲାଇନରେ ଠିଆ କରାଉଛନ୍ତି । ରେଜିଷ୍ଟ୍ରେସନ ଅବଧି, ଅଗଷ୍ଟ ୬ରୁ - ଅଗଷ୍ଟ ୩୧ ମାତ୍ର ୨୫ ଦିନ ପର୍ଯ୍ୟାପ୍ତ ସମୟ ନୁହେଁ । ଗୋଟିଏ ଗୋଟିଏ ସୋସାଇଟି, ପିଏସିଏସ୍, ଏଲଏଏମସରେ ୭ରୁ ୮ଜଣ ଚାଷୀ ଗୋଟିଏ ଦିନରେ ରେଜିଷ୍ଟ୍ରେସନ କରୁଛନ୍ତି । କେଉଁଠି ଇଣ୍ଟରନେଟ୍ ସ୍ଲୋ ରହୁଛି ତ କେଉଁଠି କରେଂଟ ରହୁନି । ଯାହାଦ୍ୱାରା ରେଜିଷ୍ଟ୍ରେସନ ହୋଇପାରୁନାହିଁ । ତେଣୁ ସରକାର ତୁରନ୍ତ ଖରିଫ ଧାନ ପାଇଁ ପଞ୍ଜିକରଣ ସମୟ ଅବଧି ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ। ପଞ୍ଜିକରଣ ପାଇଁ ପ୍ରକ୍ରିୟା ସରଳିକରଣ କରନ୍ତୁ ଏବଂ ନିୟମକୁ ସମସ୍ତ ସୋସାଇଟି, ପିଏସି ଓ ଲାମପସକୁ ମାନିବାକୁ ବାଧ୍ୟତାମୂଳକ କରନ୍ତୁ । ଡିଜିଟାଲ ଇଣ୍ଡିଆ ପ୍ରଚାର କରୁଥିବା ସରକାର ସବୁ ରେଜିଷ୍ଟ୍ରେସନ ହେଉଥିବା ସ୍ଥାନକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ପର୍ଯ୍ୟାପ୍ତ କମ୍ପ୍ୟୁଟର ସିଷ୍ଟମ ଯୋଗାଇ ଦିଅନ୍ତୁ। କରେଣ୍ଟ ରହୁନଥିବା ସ୍ଥାନରେ ଜେନେରେଟର ବ୍ୟବସ୍ଥା କରନ୍ତୁ । ଭାଗଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ଓ ଯେଉଁମାନେ ଠାକୁରଙ୍କ ଜମି ଚାଷ କରୁଛନ୍ତି, ସେମାନଙ୍କୁ ସୁବିଧାରେ ଓ ସରଳ ପଞ୍ଜିକରଣ ଅନ୍ତର୍ଭୁକ୍ତ କରନ୍ତୁ । ବିନା ଆରଆଇ ରିପୋର୍ଟରେ ପଞ୍ଜିକରଣ ବ୍ୟବସ୍ଥା କରାଯାଉ ବୋଲି କୃଷକ ଜନତା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା