


ସମ୍ବଲପୁର, ୨୮, ଅଗଷ୍ଟ (ହି.ସ.) - ଓଡିଶା ରାଜ୍ୟ ବ୍ୟାଡ଼ମୀଂଟନ ଏସୋସିଏସନ ଦ୍ୱାରା ତଥା ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ସହଯୋଗରେ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଂଟନ ଲେବଲ -୩ ଟୁର୍ନାମେଂଟ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଂଟନ ହଲ ଠାରେ ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ପୋଲିସ ଡ଼ିଏସପି ଯୋଗେଶ ପଣ୍ଡା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବ୍ୟାଡ଼ମିଂଟନ ଖେଳାଳୀ ଦେବଦତ ମିଶ୍ର, ବ୍ୟାଙ୍କ ଅଧିକାରୀ ନିର୍ମଳ ପନସାରୀ, ଓଏସବିଏର ଟୁର୍ନାମେଂଟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ, ଜିଲ୍ଲା ବ୍ୟାଡ଼ମୀଂଟନ ସଂଘ ଉପସଭାପତି ପ୍ରବୀଣ ବେହେରା, ସଦସ୍ୟ କ୍ଷୀରୋଦ କିଷାନ ପ୍ରମୁଖ ଉପସ୍ଥିତ ଥିଲେ । ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିଥି ମାନେ ଆଜିର ଦିନରେ ଖେଳ ବିଶେଷ ଭାବରେ ବ୍ୟାଡ଼ମୀଂଟନ କ୍ରୀଡା ପ୍ରତି ନୂତନ ପିଢ଼ିର ଶିଶୁ ମାନଙ୍କର ଆଗ୍ରହକୁ ଭୁୟସୀ ପ୍ରଶଂସା କରିବା ସହ କ୍ରୀଡା ହିଁ ଏକ ସୁସ୍ଥ ଜୀବନ ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ପ୍ରତିଯୋଗିତା କରିବାର ଲକ୍ଷ୍ୟ ଉପରେ ମ୍ୟାଚ ରେଫରୀ ଶ୍ରୀ ନନ୍ଦ କହିଲେ ଯେ ଏହିପରି ଟୁର୍ନାମେଂଟରୁ ହିଁ ନୂତନ ପ୍ରତିଭା ଲୋକ ଲୋଚନକୁ ଆସିଥାନ୍ତି, ଯେଉଁ ମାନେ କି ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥାନ୍ତି । ଏହି ଟୁର୍ନାମେଂଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ରେଙ୍ଗାଲି, ବୁର୍ଲା ଓ ସମ୍ବଲପୁରର ଶତାଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏଥିରେ ବାଳକ ଓ ବାଳିକା ବିଭାଗର ୧୩ ବର୍ଷରୁ କମ, ୧୫ ବର୍ଷ ରୁ କମ ଓ ୧୭ ବର୍ଷରୁ କମ ଖେଳାଳୀ ମାନେ ଭାଗ ନେଇଛନ୍ତି । ସମସ୍ତ ବର୍ଗ ରେ କେବଳ ସିଙ୍ଗିଲ୍ସ ମ୍ୟାଚ ଯାଉଛି । ସୂଚନା ଯୋଗ୍ୟ ଯେ, ଏହି ୨ ଦିନ ବ୍ୟାପି ଲେବଲ -୩ ର ଟୁର୍ନାମେଂଟ ଓଡିଶା ର ସମସ୍ତ ଜିଲ୍ଲା ରେ ଆୟୋଜିତ ହେଉଛି ଓ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସ୍ତରୀୟ ଟୁର୍ନାମେଂଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଟୁର୍ନାମେଂଟ ଅଗଷ୍ଟ ୨୮ ଓ ୨୯ ତାରିଖରେ ଖେଳାଯିବ ବୋଲି ଜିଲ୍ଲା ବ୍ୟାଡ଼ମୀଂଟନ ସଂଘ ପକ୍ଷରୁ ଉପସଭାପତି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏହି ଟୁର୍ନାମେଂଟ ପରିଚାଳନାରେ ବବୁଲୁ ସାହୁ, ମଣି ବେଜି, ରାଇମନ ବେହେରା, ଶଶାଙ୍କ ଜେନା ପ୍ରମୁଖ ସହଯୋଗ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ