ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର
Social activist Rabi soni dead body found
ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର


ଝାରସୁଗୁଡ଼ା, 28 ଅଗଷ୍ଟ (ହି.ସ.) : ଗତ ୨୬ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ବ୍ରଜରାଜନଗରର ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଇବ ନଦୀର ସ୍ଥାନୀୟ ଓପିଏମ୍ ଘାଟ ନିକଟସ୍ଥ ଶ୍ମଶାନ ଘାଟରୁ ଉଦ୍ଧାର ହୋଇଛି। ଝାରସୁଗୁଡ଼ା ଓଡ୍ରାଫ୍ ଟିମ୍ ଆଜି ସକାଳ ପ୍ରାୟ ୧୦ଟା ସମୟରେ ନଦୀରେ ସର୍ଚ୍ଚ ଅପରେସନ୍ କରି ରବିଙ୍କ ମୃତଦେହ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ରବି ଗତ ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନିଜ ସ୍କୁଟିରେ ଓପିଏମ୍ ଘାଟ ଆଡ଼କୁ ଯାଉଥିବା କେତେକ ସ୍ଥାନୀୟ ଲୋକ ଦେଖିଥିଲେ। ପରଦିନ ସକାଳେ ଘାଟ ନିକଟରେ ତାଙ୍କ ସ୍କୁଟିଟି ଖାଲି ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବ୍ରଜରାଜନଗର ଥାନାକୁ ସୂଚନା ଦେଇଥିଲେ। ପୁଲିସ ସ୍କୁଟିକୁ ଜବତ କରିବା ସହ ରବିଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ତଲାସି କରିଥିଲେ। ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ରବିଙ୍କ ପତ୍ନୀ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏବଂ ଝାରସୁଗୁଡ଼ା ଓଡ୍ରାଫ୍ ଟିମ୍ ଇବ ନଦୀରେ ତଲାସି ଆରମ୍ଭ କରିଥିଲେ। ରାତି ହୋଇଯିବାରୁ ତଲାସି ବନ୍ଦ ରଖାଯାଇଥିବାବେଳେ ୨୮ ତାରିଖ ସକାଳୁ ପୁଣି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଶେଷରେ ଶ୍ମଶାନ ଘାଟ ନିକଟରୁ ରବିଙ୍କ ମୃତଦେହ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ରବିଙ୍କ ମାନସିକ ସ୍ଥିତି ଠିକ୍ ନଥିବା ନେଇ ସହରରେ ଚର୍ଚ୍ଚା ହେଉଥିଲା। ଏପରିକି ଗତ ୨୫ ତାରିଖ ରାତି ପ୍ରାୟ ୩ଟା ସମୟରେ ସେ ଶ୍ମଶାନ ଘାଟରେ ଥିବାବେଳେ ପେଟ୍ରୋଲିଂରେ ଥିବା ପୁଲିସ ଅଧିକାରୀ ଅଭୟ ମହାନ୍ତି ତାଙ୍କୁ ବୁଝାସୁଝା କରି ଥାନାକୁ ଆଣିଥିବା ଜଣାପଡ଼ିଛି। ନିଜକୁ ଜଳସମାଧି ଦେବେ ବୋଲି ସେ କିଛିଦିନ ପୂର୍ବରୁ ବିଭିନ୍ନ ସ୍ଥାନରେ କହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ରବି ଜଣେ ପରୋପକାରୀ ଓ ସାମାଜିକ କର୍ମୀ ଭାବେ ବ୍ରଜରାଜନଗର ସହରରେ ପରିଚିତ ଥିଲେ। ତାଙ୍କ ପତ୍ନୀ ବୁର୍ଲା ଡାକ୍ତରଖାନାରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ଜଣେ ପୁତ୍ର ଅଛନ୍ତି। ବ୍ରଜରାଜନଗରସ୍ଥିତ ନିଜ ଘରେ ତାଙ୍କ ମା’ ଓ ଭାଇ ରହୁଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande