ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ; ୧,୩୦,୨୨୪ ହିତାଧିକାରୀଙ୍କ ଖାତାକୁ ଗଲା ୬୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା
Subdra money distribution
Subdra money distribution


ଝାରସୁଗୁଡ଼ା, ୨୮ , ଅଗଷ୍ଟ (ହି.ସ.) -ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ତଥା ମହତ୍ତ୍ୱାକାଂକ୍ଷୀ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନିମନ୍ତେ ବେହେରାମାଲସ୍ଥିତ ଏମ୍.ସି.ଏଲ୍. ଅଡିଟୋରିୟମରେ ଜିଲ୍ଲାସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ଆୟୋଜିତ ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାର ମୋଟ ୧,୩୦,୨୨୪ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବେ ମୋଟ ୬୫ କୋଟି ୧୧ ଲକ୍ଷ ୨୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଉପସ୍ଥିତ ମା’ ଓ ଭଉଣୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ସ୍ନେହ ଓ ଶୁଭେଚ୍ଛା ଜଣାଇବା ସହ ଚାରାବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାବାସୀଙ୍କୁ ରକ୍ଷା ବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ରକ୍ଷା ବନ୍ଧନ ହେଉଛି ପବିତ୍ର ସମ୍ପର୍କର ଉତ୍ସବ। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବା ଦିଗରେ ‘ସୁଭଦ୍ରା ଯୋଜନା’ ଏକ ଐତିହାସିକ ପଦକ୍ଷେପ। ବର୍ଷକୁ ଦୁଇଟି କିସ୍ତିରେ ମିଳୁଥିବା ୧୦,୦୦୦ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଯାଉଥିବାରୁ ଏହା ମା’ମାନଙ୍କୁ ସଶକ୍ତ କରିବା ସହ ସମଗ୍ର ଓଡ଼ିଶାର ଗ୍ରାମୀଣ ତଥା ସହରାଞ୍ଚଳ ଅର୍ଥନୀତିକୁ ମଜବୁତ କରିବ। ରାଜ୍ୟ ସରକାରଙ୍କ କନ୍ୟା ବିବାହ ଯୋଜନା ଏବଂ ଜଗନ୍ନାଥ ଦର୍ଶନ ଯୋଜନା ଭଳି ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ବିଧାୟକ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁଭଦ୍ରା ଯୋଜନାରୁ ପ୍ରାପ୍ତ ଅର୍ଥରାଶିକୁ ଉପଯୁକ୍ତ ତଥା ଉତ୍ପାଦନକ୍ଷମ କାର୍ଯ୍ୟରେ ନିବେଶ କରି ନିଜକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ ଜିଲ୍ଲାପାଳ ମା’ମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରମୋଦ ସେନାପତି କହିଥିଲେ ଯେ, ନାରୀ ସଶକ୍ତିକରଣ ବିନା ସମାଜର ବିକାଶ ଅସମ୍ଭବ ଏବଂ ‘ବିକଶିତ ଓଡ଼ିଶା’ ଗଠନରେ ଏହି ଯୋଜନା ମହିଳାମାନଙ୍କୁ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ସାମର୍ଥ୍ୟ ଯୋଗାଇବ। ସେହିପରି ବରଗଡ଼ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ସୁଭଦ୍ରା ଯୋଜନାର ଅର୍ଥ ମା’ମାନଙ୍କ ଉନ୍ନତି ଓ ପରିବାରର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଏହି ସମାବେଶରେ ତିନି ଜଣ 'ସୁଭଦ୍ରା' ହିତାଧିକାରୀ ମଞ୍ଚରେ ଉପସ୍ଥିତ ରହି ଏହି ଆର୍ଥିକ ସହାୟତା କିପରି ସେମାନଙ୍କ ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି, ସେ ସମ୍ପର୍କରେ ନିଜ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭିକ୍ଟୋରିଆ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ହିତାଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande