ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ସରକାରଙ୍କ ଉପହାର: ବ୍ୟାଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନାର ୫ମ କିସ୍ତି
କେନ୍ଦୁଝର, ୨୮ ଅଗଷ୍ଟ (ହି.ସ.) - ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କେନ୍ଦୁଝର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ
Subhdra program


କେନ୍ଦୁଝର, ୨୮ ଅଗଷ୍ଟ (ହି.ସ.) - ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କେନ୍ଦୁଝର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ମାନିତ ଅତିଥିବୃନ୍ଦ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପବିତ୍ର ଦୀପଶିଖା ପ୍ରଜ୍ୱଳନ ସହ ଅତିଥିମାନେ ମା’ ତାରିଣୀ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରି ସମଗ୍ର ଜିଲ୍ଲାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ। ଏହାପରେ ଉପସ୍ଥିତ ମା’ ଓ ଭଉଣୀମାନେ ଅତିଥିମାନଙ୍କ ହାତରେ ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ ରକ୍ଷାସୂତ୍ର ବାନ୍ଧି ସେମାନଙ୍କୁ ଭାବପୂର୍ଣ୍ଣ ସଂବର୍ଦ୍ଧନା ଓ ସ୍ୱାଗତ ଜଣାଇଥିଲେ। ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ଏହି ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ୪ ଲକ୍ଷ ୫୦ ହଜାରକୁ ମିଶାଇ ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି।

ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ପ୍ରଥମେ ଜିଲ୍ଲା ତଥା ସମଗ୍ର ରାଜ୍ୟର ସମସ୍ତ ମା’ ଓ ଭଉଣୀମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ନିଜ ବକ୍ତବ୍ୟରେ ସେ ପ୍ରକାଶ କରିଥିଲେ ଯେ, ସରକାର ପ୍ରଦାନ କରୁଥିବା ଏହି ସହାୟତା ମା’ମାନଙ୍କ ପାଇଁ କେବଳ ଏକ ସାଧାରଣ ଅର୍ଥରାଶି ନୁହେଁ, ବରଂ ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା, ସ୍ୱାବଲମ୍ବନ ଓ ସ୍ୱାଭିମାନର ଶ୍ରେଷ୍ଠ ପ୍ରତୀକ। ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି “ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଆର୍ôଥକ ଭାବେ ସକ୍ଷମ କରି ସେମାନଙ୍କୁ ସମାଜରେ ଆତ୍ମସମ୍ମାନ ଓ ସ୍ୱାଭିମାନର ସହ ବଂଚିବାର ସୁଯୋଗ ସୃଷ୍ଟି କରିବା। ଏହି ଆର୍ôଥକ ସହାୟତା ମାଧ୍ୟମରେ ମହିଳାମାନେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ସମାଜର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇପାରିବେ। ଏହି ପର୍ଯ୍ୟାୟରେ ଜିଲ୍ଲାର ପ୍ରାୟ ୪ ଲକ୍ଷ ୫୦ ହଜାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟରେ ଏହି ଯୁଗାନ୍ତକାରୀ ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୦,୦୦୦ କୋଟି ଟଙ୍କା ବିନିଯୋଗ କରିବାର ବୃହତ୍ ଲକ୍ଷ୍ୟ ରଖିଛନ୍ତି।

ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୟାଗଡ଼ର ଲାଠିପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ମା’-ଭଉଣୀ ଓ ସୁଭଦ୍ରା' ହିତାଧିକାରୀଙ୍କୁ ପବିତ୍ର ରକ୍ଷାବନ୍ଧନର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଦ୍ୱୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମା ଭଉଣୀମାନଙ୍କୁ କେବଳ ଶୁଭେଚ୍ଛାରେ ସୀମିତ ନରଖି ପ୍ରକୃତ ସ୍ୱାଧୀନତା ଓ ଆତ୍ମନିର୍ଭରଶୀଳତାର ଉପହାର ଦେଉଛନ୍ତି। ରାଖୀ ପୂର୍ଣ୍ଣିମା ତିଥିରେ ସିଧାସଳଖ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ମହିଳାଙ୍କ ଆକାଉଂଟକୁ ୫,୦୦୦ ଟଙ୍କା ଲେଖାଏଁ ପଠାଯାଇଛି, ଯାହା ରାଜ୍ୟରେ ନାରୀ ସଶକ୍ତୀକରଣର ଏକ ବଡ଼ ପ୍ରତୀକ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନୂଆ ବ୍ୟବସାୟ ଓ ଉଦ୍ୟୋଗ ସ୍ଥାପନ ପାଇଁ ସହଜ ଋଣ ସହାୟତା ଯୋଗାଇ ଦିଆଯାଉଛି। ଏହି ଅନୁଦାନକୁ କେବଳ ବ୍ୟକ୍ତିଗତ ଖର୍ଚ୍ଚ ରେ ନଲଗାଇ, ମହିଳାମାନେ ନିଜସ୍ୱ ବ୍ୟବସାୟରେ ନିୟୋଜିତ କରି ନିଜକୁ ସ୍ୱାବଲମ୍ବୀ କରିବାର ସଙ୍କଳ୍ପ ନେଉଛନ୍ତି। ନିଜ ନିଷ୍ପତି ନିଜେ ନେବା ଏବଂ ସାମାଜିକ ଆର୍ôଥକ ସ୍ତରରେ ମଜବୁତ୍ ହେବା ହିଁ ପ୍ରକୃତ ସଶକ୍ତୀକରଣ। ଯେଉଁ ମହିଳାମାନେ ଦକ୍ଷତା ହାସଲ କରିଛନ୍ତି, ସେମାନେ ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ପରିବାରର ବୋଝ ନିଜେ ଉଠାଉଛନ୍ତି। ମା’ର ସମ୍ମାନ ବଢ଼ିଲେ ପରିବାର ଓ ସମାଜର ସମ୍ମାନ ଆପେ ଆପେ ବୃଦ୍ଧି ପାଏ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଆଜି ମହିଳାମାନଙ୍କ କଲ୍ୟାଣ ଓ ଅଗ୍ରଗତିକୁ ଆଖିଆଗରେ ରଖି କାର୍ଯ୍ୟକାରୀ କରାଯାଉଛି।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ଦୁଇଜଣ ସଫଳ ସୁଭଦ୍ରା' ହିତାଧିକାରୀ ଆଭାସୀ ମାଧ୍ୟମରେ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ି ହୋଇ ନିଜର ଆତ୍ମବିଶ୍ୱାସୀ ସଫଳତା କାହାଣୀ ବାଂଟିଥିଲେ - ଝୁମ୍ପୁରାର ରେଣୁକା ବାରିକ ଛତୁ ଚାଷ ତାଲିମ ନେବା ପରେ ସୁଭଦ୍ରା' ଯୋଜନାରୁ ପାଇଥିବା ୪ଟି କିସ୍ତିର ୨୦,୦୦୦ ଟଙ୍କାକୁ ସେ ଛତୁ ଚାଷର ଉପକରଣ ଓ ଭିତିଭୂମିରେ ବିନିଯୋଗ କରିଛନ୍ତି। ଆଗାମୀ ପଂଚମ କିସ୍ତି ଅର୍ଥକୁ ଉନ୍ନତ ମଞ୍ଜି ଓ କଂଚାମାଲ କିଣି ବ୍ୟବସାୟର ସମ୍ପ୍ରସାରଣ କରିବା ସହ ପରିବାରର ଆର୍ôଥକ ସ୍ଥିତି ସୁଦୃଢ଼ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ଏବଂ ଘଟଗାଁର ଜୟନ୍ତୀ ଓଝା ସିଲେଇ ଓ ଟେଲରିଂ ତାଲିମ ପରେ ଏହି ଯୋଜନାର ୨୦,୦୦୦ ଟଙ୍କାରେ ସେ ନୂତନ ସିଲେଇ ମେସିନ୍ ଓ ଆବଶ୍ୟକୀୟ ଯନ୍ତ୍ରାଂଶ କିଣିଛନ୍ତି। ପଂଚମ କିସ୍ତି ଟଙ୍କାରେ କପଡ଼ା ଓ କଂଚାମାଲ କିଣିବା ସହ ଗାଁର ଅନ୍ୟ ଭଉଣୀମାନଙ୍କୁ ସିଲେଇ ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବାକୁ ସେ ନିଷ୍ପତି ନେଇଛନ୍ତି। ସୁଭଦ୍ରା' ଯୋଜନା କେବଳ ସେମାନଙ୍କୁ ଆର୍ôଥକ ଶକ୍ତି ଯୋଗାଇନାହିଁ, ବରଂ ସମାଜରେ ଆତ୍ମସମ୍ମାନ, ଗୌରବ ଓ ସ୍ୱାଭିମାନର ସହ ଜୀବିକା ନିର୍ବାହ କରିବାର ନୂତନ ପଥ ଦେଖାଇଛି ବୋଲି ଉଭୟ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗର୍ବର ସହ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସାଂସଦ ଶ୍ରୀ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ଯୋଗ ଦେଇଥିଲେ।

ପ୍ରଶାସନିକ ସ୍ତରରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ଧାମଧେରେ, ସମାଜ କଲ୍ୟାଣ ଅଧିକାରୀ ଭାନୁମତୀ ବେହେରା,ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବ୍ଲକ, ପଂଚାୟତରୁ ସ୍ୱୟଂ ସହାୟକ ଗୋଷ୍ଠୀ, ସୁଭଦ୍ରା ହିତାଧିକାରୀ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande