ଶ୍ରୀପୁରା ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଜନଶୁଣାଣି ବାତିଲ ସହ ବାଲି ଉଠାଣ ବନ୍ଦ ଦାବି
Villagers oppose sand lease hearing
ଶ୍ରୀପୁରା ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଜନଶୁଣାଣି ବାତିଲ ସହ ବାଲି ଉଠାଣ ବନ୍ଦ ଦାବି


ଝାରସୁଗୁଡ଼ା, ୨୮, ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଶ୍ରୀପୁରା ବାଲିଘାଟରୁ ବାଲି ଉଠାଣ ପ୍ରସ୍ତାବକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାଲିଘାଟ ଲିଜ୍କୁ ବାତିଲ କରିବା ସହ ବାଲି ଉଠାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ପ୍ରସ୍ତାବିତ ଜନଶୁଣାଣିକୁ ବାତିଲ କରିବା ଦାବିରେ ଶୁକ୍ରବାର ଶ୍ରୀପୁରା ଗ୍ରାମବାସୀଙ୍କ ପକ୍ଷରୁ ଝାରସୁଗୁଡ଼ା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶ୍ରୀପୁରା ବାଲିଘାଟକୁ ଯିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓ ଉପଯୁକ୍ତ ସର୍ବସାଧାରଣ ରାସ୍ତା ନାହିଁ। ଏଭଳି ସ୍ଥିତିରେ ଆବାସିକ ଅଂଚଳ ଦେଇ ବାଲି ବୋଝେଇ ଭାରୀଯାନ ଚଳାଚଳ କଲେ ଗ୍ରାମବାସୀଙ୍କ ସୁରକ୍ଷା ଓ ସାଧାରଣ ଜୀବନଯାପନ ବ୍ୟାହତ ହେବାର ଆଶଙ୍କା ରହିଛି। ଗାଁର ସଂକୀର୍ଣ୍ଣ ଓ ଦୁର୍ବଳ ରାସ୍ତା ଦେଇ ନିୟମିତ ଭାବେ ଭାରୀ ଟ୍ରକ୍ ଓ ଟିପର ଚଳାଚଳ କଲେ ରାସ୍ତା ନଷ୍ଟ ହେବା ସହ ଯାତାୟାତ ସମସ୍ୟା ଉପୁଜିବ ବୋଲି ସେମାନେ ଦାବିପତ୍ରରେ ଦର୍ଶାଇଛନ୍ତି।

ଏଥିସହ ଅନିୟନ୍ତ୍ରିତ ଭାରୀଯାନ ଚଳାଚଳ ଯୋଗୁଁ ସ୍କୁଲକୁ ଯାଉଥିବା କୋମଳମତି ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ଅନ୍ୟ ନିୟମିତ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ଅଂଚଳର ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

ଏହି ସମସ୍ତ ସମସ୍ୟାକୁ ବିଚାରକୁ ନେଇ ଶ୍ରୀପୁରା ବାଲିଘାଟ ଲିଜ୍ ପାଇଁ ଧାର୍ଯ୍ୟ ଜନଶୁଣାଣିକୁ ତୁରନ୍ତ ବାତିଲ କରିବା ସହ ବାଲି ଉଠାଣକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପତ୍ରର ନକଲ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରେରଣ କରାଯାଇଛି।

ଏ ସମ୍ପର୍କରେ ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର କହିଛନ୍ତି, ଏ ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବା ପରେ ପରବର୍ତୀ ପଦକ୍ଷେପ ନେଇ ବିଚାର କରାଯିବ। ଦାବିପତ୍ର ପ୍ରଦାନ ସମୟରେ ଭୂପେନ୍ଦ୍ର ତ୍ରିପାଠୀ, ହିତେଶ କୁମାର ଦୀକ୍ଷିତ, ରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande