
ମାଲକାନଗିରି,୨୯ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମଭି ୭୯ ଗ୍ରାମର ଇରିଗେସନ୍ କଲୋନୀରେ ଥିବା ପ୍ରାୟ ୩୦ ବର୍ଷ ପୁରୁଣା କମ୍ୟୁନିଟି ସେଣ୍ଟର ଏବେ ଶୋଚନୀୟ ଅବସ୍ଥାରେ। ଦୀର୍ଘଦିନ ଧରି ମରାମତି ଅଭାବରୁ କୋଠାର କାନ୍ଥ ଓ ଛାତ ନଷ୍ଟ ହୋଇଯାଇଥିବା ବେଳେ ପରିସରରେ ଅନାବନା ଗଛଲତା ବଢ଼ିଯାଇଛି।
ଏହି କମ୍ୟୁନିଟି ସେଣ୍ଟରଟି ପୂଜାପର୍ବାଣି, ସାମାଜିକ କାର୍ଯ୍ୟକ୍ରମ ଓ ବିଭିନ୍ନ ବୈଠକ ପାଇଁ କଲୋନୀବାସୀଙ୍କ କାମରେ ଆସିପାରିଥାନ୍ତା। କିନ୍ତୁ ଅବ୍ୟବହୃତ ଓ ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଲୋକେ ବାହାରେ ବସି ବୈଠକ କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଯୁବପିଢ଼ି ଓ ସ୍ଥାନୀୟ ଲୋକଙ୍କ ପାଇଁ ଏହାର ପୁନରୁଦ୍ଧାର ହେଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ସୁବିଧା ମିଳିପାରିବ।
କଲୋନୀବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ତେଣୁ ପ୍ରଶାସନ ତୁରନ୍ତ କମ୍ୟୁନିଟି ସେଣ୍ଟରର ମରାମତି କରିବା ସହ ଚାରିପଟେ ବାଉଣ୍ଡାରୀ ନିର୍ମାଣ କରିବାକୁ କଲୋନୀବାସୀ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ