
ମାଲକାନଗିରି, ୨୯ ଅଗଷ୍ଟ (ହି.ସ.)- ମାଲକାନଗିରି ସଦରସ୍ଥିତ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଯାନବାହନ ଯାଞ୍ଚ ସମୟରେ ନିୟମ ଉଲଘଂନ କରିଥିବା ଏକ କଣ୍ଟେନରକୁ ଧରି ଜରିମାନା ଆଦାୟ କରାଯାଇଛି | ଆରଟିଓ ପକ୍ଷରୁ ଯାଞ୍ଚ ବେଳେ ଟ୍ରକଟି ଧାର୍ଯ୍ୟ ସୀମା ଠାରୁ ଅଧିକ ଓଜନ ବୋଝେଇ କରି ଆଣିଥିବା ଜଣାପଡ଼ିଥିଲା । ଏଥିସହ ଗାଡ଼ିର ଚେଚିସରେ ପରିଦର୍ଶନ କରି ବଢ଼ିକୁ ଧାର୍ଯ୍ୟ ପରିମାଣ ଠାରୁ ଅଧିକ ଲମ୍ବା କରାଯାଇଥିବା ମଧ୍ୟ ଯାଞ୍ଚରୁ ଜଣାପଡ଼ିଥିଲା । ଏମଭିଆଇ ଶେଖ ୟୁନୁସଙ୍କ ସୂଚନା ଅନୁଯାୟୀ, ଡ୍ରାଇଭର ଯାଞ୍ଚ ସମୟରେ ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାଇବାରେ ବିଳମ୍ବ କରିଥିବାରୁ ୫୦୦ ଟଙ୍କା ଓଭରଲୋଡିଂ ପାଇଁ ୧୦ ହଜାର ଟଙ୍କା ଏବଂ ଚେସିସରେ ପରିବର୍ତ୍ତନ କରି ବଡ଼ିକୁ ଲମ୍ବା କରିଥିବାରୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ଗାଡ଼ିଟି କଟକରୁ ଧାନକୁଣ୍ଡା ପରିବହନ ନିମନ୍ତେ ମାଲକାନଗିରି ଆସିଥିଲା । ପରିବହନ ନିୟମ ଅବମାନନା କରିବା ଅଭିଯୋଗରେ ଗାଡି ଉପରେ ସର୍ବମୋଟ ୩୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଯାନବାହନରେ ଓଭର ଲୋଡିଂ ଓ ଅନୁମୋଦିତ ମାପରେ ପରିବର୍ତ୍ତନ, ଯାତାୟାତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ପରିବହନ ବିଭାଗର ଏଭଳି ଯାଞ୍ଚକୁ ଗୁରୁତ୍ଵପୂର୍ଣ ପଦକ୍ଷେପ ବୋଲି କୁହାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ