ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରି ଦଳୀୟ ଭିତ୍ତିରେ ବିଜେପି ଘର ବଣ୍ଟନ କରିଛି: ବିଜେଡି
ଭୁବନେଶ୍ବର , 03 ଅଗଷ୍ଟ (ହି.ସ.)-ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା ହୋଇଛି । ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଯାଇ ଘର ବଣ୍ଟନ କରାଯାଇଛି । ସରକାରଙ୍କ ତ୍ରୁଟିକୁ ନିଜେ ସ୍ୱୀକାର କରିଛନ୍ତି ମନ୍ତ୍ରୀ । ସରକାରଙ
ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରି ଦଳୀୟ ଭିତ୍ତିରେ ବିଜେପି ଘର ବଣ୍ଟନ କରିଛି: ବିଜେଡି


ଭୁବନେଶ୍ବର , 03 ଅଗଷ୍ଟ (ହି.ସ.)-ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା ହୋଇଛି । ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଯାଇ ଘର ବଣ୍ଟନ କରାଯାଇଛି । ସରକାରଙ୍କ ତ୍ରୁଟିକୁ ନିଜେ ସ୍ୱୀକାର କରିଛନ୍ତି ମନ୍ତ୍ରୀ । ସରକାରଙ୍କ ଏହି ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଓଡିଶାରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି । ଗରୀବ ଶ୍ରେଣୀର ଲୋକେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଛନ୍ତି, ଯାହାକି ଅତି ଅଶୋଭନୀୟ । ହିତାଧିକାରୀ ମାନଙ୍କୁ ଘର ବଣ୍ଟନ ନେଇ ଥିବା ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଛି ବିଜେପି ସରକାର । ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀ ମାନଙ୍କ ଚୟନ ନେଇ ସ୍ଥାନୀୟ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗକୁ ଜଣାଇବେ, ଏହାପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିବା ନିୟମ ରହିଛି । କିନ୍ତୁ ତାହାକୁ ଉଲ୍ଲଙ୍ଘନ କରି ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରି ଗୃହ ପ୍ରଦାନ କରାଯାଇଛି । ବିଜେପି ନେତା ମାନେ ଚାପ ପ୍ରୟୋଗ କରି ଜିଓ ଟ୍ୟାଗିଂ କରୁଥିବାରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗତ ୨ ବର୍ଷରେ ୧ ଲକ୍ଷ ୧ ହଜାର ଘର ଆସିଥିବା ବେଳେ ମାତ୍ର ୩୧୫୪ଟି ଘର ସମ୍ପୂର୍ଣ୍ଣ ହୋଇଛି । ସେହିପରି ଅନ୍ତଦ୍ୟୋୟ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଆବଣ୍ଟନ କରାଯାଇଛି । ସର୍ଭେ କାର୍ଯ୍ୟ ନିମନ୍ତେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଥିବା ଗାଇଡଲାଇନକୁ ପାଳନ କରାଯାଇ ନାହିଁ, ଯାହାକି ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି । ମନ୍ତ୍ରୀ ଢେଙ୍କାନାଳ ସଦର ବ୍ଲକର କାଇମାଟି ଗ୍ରାମପଞ୍ଚାୟତର ଗହମଖୁଣ୍ଟି ଗ୍ରାମକୁ ଯାଇଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ସେଠାରେ ସ୍ୱୀକାର କରିଥିଲେ । ଟଙ୍କା ନେଇ ଆବାସ ଗୃହ ବଣ୍ଟା ଯାଇଥିବା କହି ବିଡିଓ ଓ ପିଇଓଙ୍କୁ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର କରି ଗାଳିଗୁଲଜ କରିଥିଲେ ମନ୍ତ୍ରୀ । ଏନେଇ ପିଇଓ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜଣେ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରିବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବିଜେପି ସରକାର ଦଳୀୟ ଭିତ୍ତିରେ ଘର ବଣ୍ଟନ ନ କରି ପ୍ରକୃତ ହିତାଧିକାରୀଙ୍କୁ ଘର ବଣ୍ଟନ କରନ୍ତୁ ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ସରକାରର ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ଗାଳିଗୁଲଜ କରୁଛନ୍ତି । ବିଜେପି ସରକାର ମହିଳା ସୁରକ୍ଷା ଓ ମହିଳା ବନ୍ଦନାର ଡିଣ୍ଡିମ ପିଟୁଥିବା ବେଳେ ଏହା କେଉଁ ପ୍ରକାର ମହିଳାଙ୍କୁ ସମ୍ମାନ ? ମନ୍ତ୍ରୀ ମହିଳା କର୍ମଚାରୀଙ୍କୁ ଅପଶବ୍ଦ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ହିତାଧିକାରୀ ମାନଙ୍କୁ ଗାଇଡଲାଇନ ଅନୁଯାୟୀ ଘର ପ୍ରଦାନ କରାଯାଉ ନାହିଁ । ୨ ମହଲା କୋଠା ଘର ଥାଇ ବି ଲୋକେ ଆବାସ ଯୋଜନାରେ ଗୃହ ହାତେଇଛନ୍ତି । ଆବାସ ଦୁର୍ନୀତିରେ ନିଜେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ଦେଖିବାକୁ ମିଳୁଛି । ଆବାସ ଦୁର୍ନୀତିର ତଦନ୍ତ କରାଯାଉ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରି ଗୃହ ବଣ୍ଟନ କରାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande