
ଭୁବନେଶ୍ବର , 03 ଅଗଷ୍ଟ (ହି.ସ.)- ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଞ୍ଚଳରେ ବିଜେପି କର୍ମୀ ମାନେ ଆତଙ୍କରାଜ ଚଳାଇଛନ୍ତି । ମନ୍ତ୍ରୀ ତାହାକୁ ରୋକିବା ବଦଳରେ ପ୍ରଶୟ ଦେଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଜେପି ସରକାରରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜନସାଧାରଣ ବିଜେପି କର୍ମୀ ମାନଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ପୋଲିସ୍ ସେମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରୋତ୍ସାହନରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ନାଚୁଣୀ ଥାନା ଅଧୀନ ଖଜୁରିପଡ଼ା ଗାଁ ରାସ୍ତାରେ ଜଣେ ଯୁବକଙ୍କୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଟୁକୁନା ସାମନ୍ତସିଂହାର ଓ ଅନ୍ୟ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ଶାସକ ଦଳର କର୍ମୀ ମାନେ ତାଙ୍କୁ ବିଚ୍ ରାସ୍ତାରେ ନିର୍ଘାତ ମାଡ ମାରିଲେ । ହେଲେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଚୁପ୍ ହୋଇ ବସିରହିଛି । ଅନ୍ୟ ଏକ ଘଟଣାରେ ଚିଲିକା ଅଞ୍ଚଳର ଜୈନିକା ଅନୁସୂଚିତ ଜନଜାତିର ନାବାଳିକାକୁ ଦୁଷ୍କର୍ମ କରିବା ଉଦ୍ୟମ ହୋଇଛି । ଅଭିଯୁକ୍ତ ମାନେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ପୋଲିସ ପଦକ୍ଷେପ ଗ୍ରହଣ କରିବା ବଦଳରେ ଧମକ ଚମକ ଦେଉଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଆଦିବାସୀ ମାନଙ୍କ ବିକାଶ ଓ ମହିଳା ସମ୍ମାନ ନେଇ ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି । ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ୍ କାମ ହେଉଥିବା ବେଳେ ନାବାଳିକା ଜଣଙ୍କ ନ୍ୟାୟ ପାଇବା ପାଇଁ କେଉଁ ସ୍ଥାନକୁ ଯିବ ? ଏତେ ଦିନ ହେବ ନାବାଳିକା ଜଣକ ଅଭିଯୋଗ କଲା ପରେ ମଧ୍ୟ ଥାନାରେ ମାମଲା ରୁଜୁ ହେଉନାହିଁ, ଏହା କ’ଣ ଡବଲ ଇଞ୍ଜିନ ସରକାରଙ୍କ ଆଇନ ସୁରକ୍ଷା ବ୍ୟବସ୍ଥା ? ଦଳୀୟ ସ୍ୱାର୍ଥ ପାଇଁ ବିଜେପି କର୍ମୀଙ୍କୁ ମନ୍ତ୍ରୀ ବଞ୍ଚାଇବାରେ ଲାଗିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ମନ୍ତ୍ରୀ ତାହାକୁ ବେଖାତିର କରିଚାଲିଛନ୍ତି । ଉକ୍ତ ଘଟଣାରେ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରି ନାବାଳିକାକୁ ନ୍ୟାୟ ପ୍ରଦାନ କରନ୍ତୁ । ନଚେତ ଆଗକୁ ବିଜେଡି ପକ୍ଷରୁ ତୀବ୍ର ଆନେ୍ଦାଳନ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା