
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇର) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର) କୁ ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (ଇଏପି) ଅଧୀନରେ ଏହି ପ୍ରକଳ୍ପକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (ସିଇଆର) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ପାଇଲଟ୍ ଅର୍ଥନୈତିକ ଅଂଚଳ ମଧ୍ୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ (ବିକେପିପିଇଆ)ର୍ କୁ ସାମିଲ କରାଯାଇଛି। ଏହି ଅଞ୍ଚଳ ପାଇଁ ୫,୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ପ୍ରସ୍ତାବିତ ହୋଇଛି। ଏଥିରୁ ୭୦ ପ୍ରତିଶତ (୩,୫୦୦ କୋଟି ଟଙ୍କା) ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଋଣ ମାଧ୍ୟମରେ ଏବଂ ୩୦ ପ୍ରତିଶତ (୧,୫୦୦ କୋଟି ଟଙ୍କା) କେନ୍ଦ୍ର ସରକାରଙ୍କ ସିଇଆର ଯୋଜନା ଅଧୀନରେ ଉପଲବ୍ଧ ହେବ।
ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକ ସମନ୍ୱିତ ଅର୍ଥନୈତିକ ଅଂଚଳ ଭାବେ ବିକଶିତ କରି ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ବନ୍ଦରଭିତିକ ଶିଳ୍ପ, ଜ୍ଞାନଭିତିକ ଅର୍ଥନୀତି ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା। ପ୍ରକଳ୍ପଟି ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ପ୍ରସ୍ତାବିତ ବିକେପିପିଇଆର୍ ଅଞ୍ଚଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ୧୯ଟି ସହରାଂଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ସାମିଲ ହୋଇଛି ।
ପ୍ରକଳ୍ପ ଅଧୀନରେ ସମନ୍ୱିତ ଆଂଚଳିକ ପରିବହନ ବ୍ୟବସ୍ଥା (ରିଜିଓନାଲ ମୋବିଲିଟି), ସ୍ମାର୍ଟ ଓ ଜଳବାୟୁ ଅନୁକୂଳ ସହରୀ ଭିତିଭୂମି, ସାଧାରଣ ପରିବହନ ବ୍ୟବସ୍ଥାର ବିସ୍ତାର, ମଲ୍ଟିମୋଡାଲ ହବ୍, କର୍ମଜୀବୀଙ୍କ ପାଇଁ ଆବାସ, ଭୁବନେଶ୍ୱର ନୂତନ ସହର, ସହର ପୁନର୍ବିକାଶ, ନଦୀତଟ ଓ ଜଳାଶୟ ବିକାଶ, ବନ୍ଦର ଭିତିକ ଶିଳ୍ପ, ଜ୍ଞାନ ଓ ସ୍ୱାସ୍ଥ୍ୟ ହବ୍ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିଛି।
ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଂଟ ଅଫ୍ ଇକୋନୋମିକ୍ ଆଫେୟାର୍ସ (ଡିଇଏ) ପୋର୍ଟାଲରେ ଅପଲୋଡ୍ କରାଯାଇ ପରବର୍ତୀ ମୂଲ୍ୟାଙ୍କନ ଓ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା