
କନ୍ଧମାଳ, ୦୩ ଅଗଷ୍ଟ(ହି.ସ.) – ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ ପକ୍ଷରୁ ୨୦ଦଫା ଦାବିନେଇ ହୋଇଥିବା ଆଲୋଚନା ବିଫଳ ହୋଇଥିବା ସଂଘ ପକ୍ଷରୁ କୁହାଯାଇଥିବାବେଳେ ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଦିନିକିଆ ଧର୍ମଘଟ କରାଯିବ ବୋଲି ସଂଘ ସାଧାରଣ ସମ୍ପାଦକ ହୃଷିକେଶ ପାତ୍ର ସୂଚନା ଦେଇଛନ୍ତି। ଉଭୟ ସଂଘର ମୁଖ୍ୟଦାବି ଶାଖାଗୁଡ଼ିକର ସବୁ ବିଭାଗରେ ପର୍ଯ୍ୟାପ୍ତ ନିଯୁକ୍ତି, ଭିତିଭୂମି ଆଧୁନିକ ସୁବିଧାର ବିକାଶ, ସ୍ୱଚ୍ଛ ବଦଳି ଓ ପଦୋନ୍ନତି ଆଦି ୨୦ ଦଫା ଦାବିନେଇ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନେଇ ଗତ ୨୯ତାରିଖରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପରିଚାଳନା କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିବା ଏବଂ ଏଥିରେ କୌଣସି ସକାରାତ୍ମକ ସମାଧାନରେ ପହଂଚି ପାରିନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଣୁ ସଂଘର ଦାବିପୂରଣ ନେଇ ଆସନ୍ତା ୧୭ ତାରିଖରେ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଥିବା ଏବଂ ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଜାରି ରହିବ ବୋଲି ସାଧାରଣ ସମ୍ପାଦକ ପାତ୍ର ପ୍ରକାଶ କରିଛନ୍ତି। ଉକ୍ତ ଆଲୋଚନାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ସଂଘ ସଭାପତି ମାନଭଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ପୀତବାସ ଜେନା, କର୍ମଚାରୀ ସଂଘ ସଭାପତି ବିଶ୍ୱଜିତ୍ ମିଶ୍ର, ସାଧାରଣ ସମ୍ପାଦକ ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପେକ୍ଷୀରେ ଆଜି ଫୁଲବାଣୀ ସ୍ଥିତ ରିଜିଓନାଲ ଅଫିସ ପେଞ୍ଜିସାହିରେ ଥିବା ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖା ଆଗରେ ବ୍ୟାଙ୍କ ପକ୍ଷରୁ ରିଜିଓନାଲ ସେକ୍ରେଟାରୀ ସୁବ୍ରତ କୁମାର ପାତ୍ର, ରିଜିଓ ନାଲ ପ୍ରେସିଡେଂଟ ଶ୍ୟମାଳିନୀ ଧଳ, ଏମପ୍ଲୋୟି ଆସୋସିଏସନ ଦୀପକ କୁମାର ମେହର, ଅମୀୟ ଦାସଙ୍କ ସମେତ ଗ୍ରାମୀଣ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଆସନ୍ତା ଅଗଷ୍ଟ ୧୭ରେ ହେବାକୁ ଥିବା ଧର୍ମଘଟ ପାଇଁ ସଜବାଜ ହେଇଛନ୍ତି। ଏନେଇ ଆଜି ସନ୍ଧ୍ୟାରେ ଶାଖାର ସମସ୍ତ କର୍ମଚାରୀ ବ୍ୟାଙ୍କ ସମୁଖରେ ନାରାବାଜି ସହ ଧାରଣା ଓ ଆଗାମୀ ଦିନରେ ଧର୍ମ ଘଟ ହବବୋଲି ମ୍ୟାନେଜମେଂଟକୁ ଚେତାଇ ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ