
ନୂଆପଡ଼ା,୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଜୁନାନୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବିଦ୍ୟୁତ ଖମ୍ବ ଟ୍ରକ ଧକ୍କାରେ ଭାଙ୍ଗି ପଡ଼ିବାର ପାଂଚ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଏହାର ମରାମତି କିମ୍ବା ନୂତନ ଖମ୍ବ ସ୍ଥାପନ କରାଯାଇନାହିଁ। ଫଳରେ ବିଦ୍ୟୁତ ସଂଯୋଗ ଥିବା କେବୁଲ ତାର ଭୂଇଁରେ ପଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୂଇଁରେ ପଡ଼ିଥିବା କେବୁଲ ତାର ଉପରେ ପ୍ରତିଦିନ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରି ଜୁନାନୀ ପେଟ୍ରୋଲ ପମ୍ପକୁ ଯାତାୟାତ କରୁଛି। ସେହି କେବୁଲରେ ବିଦ୍ୟୁତ ସଂଯୋଗ ଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟିବା ପୂର୍ବରୁ ଭାଙ୍ଗି ପଡ଼ିଥିବା ବିଦ୍ୟୁତ ଖମ୍ବର ତୁରନ୍ତ ମରାମତି କିମ୍ବା ନୂତନ ଖମ୍ବ ସ୍ଥାପନ କରିବା ସହ କେବୁଲ ତାରକୁ ସୁରକ୍ଷିତ ଭାବେ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ ବିଭାଗ ନିକଟରେ ଜୋରଦାର ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ