
ଚମ୍ପୁଆ, ୦୩ ଅଗଷ୍ଟ(ହି.ସ.) – ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ମୁନ୍ସିପାଲଟି ଅଂଚଳରେ ଚାଲିଥିବା ବେଆଇନ କବାଡିଖାନା ଏବଂ ଚୋରା ସ୍କ୍ରାପ୍ଟ କାରବାର ଉପରେ ଯୋଡ଼ା ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବେଆଇନ ସ୍କ୍ରାପ୍ଟ ବୋଝେଇ ଏକ ଟ୍ରକକୁ ଜବତ କରିବାରେ ପୋଲିସ ସଫଳ ହୋଇଛି।
ମିଳିଥିବା ସୂଚନା ମୁତାବକ, ଯୋଡ଼ା ସହରର ବିଭିନ୍ନ ସ୍ଥାନରେ କୌଣସି ବୈଧ ଅନୁମତି ପତ୍ର ନଥାଇ ଅନେକ ଗୁଡ଼ିଏ ବେଆଇନ କବାଡିଖାନା ଗଢ଼ି ଉଠିଛି। ଏହି ଖଣି ପ୍ରଧାନ ଅଂଚଳରେ କିଛି କୋମଳମତି ଶିଶୁମାନଙ୍କୁ ବ୍ୟବହାର କରି ବିଭିନ୍ନ କଳକାରଖାନା, ଖଣି ଏବଂ ଲୋକଙ୍କ ଘରୁ ଲୁହା, ପ୍ଲାଷ୍ଟିକ ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରାଯାଉଥିଲା। ଶିଶୁମାନେ ଏହି ଚୋରା ମାଲକୁ ଆଣି କବାଡ଼ିଖାନାରେ ବିକ୍ରି କରୁଥିଲେ ଏବଂ ସେହି ଟଙ୍କାରେ ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରୁଥିଲେ। ଫଳରେ ଯୋଡ଼ା ଅଂଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟାକଳାପ ବୃଦ୍ଧି ପାଉଥିବାରୁ ଜନସାଧାରଣ ଓ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଆସୁଥିଲା।
ଏହି ଦାବିକୁ ଆଧାର କରି ଆଜି ଯୋଡ଼ା ପୋଲିସ ସହରର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା। ଏହି କ୍ରମରେ ଯୋଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀ ପଡ଼ିଆ ନିକଟରେ ଥିବା ଲକ୍ଷ୍ମୀଧର ମହାନ୍ତିଙ୍କ ଗ୍ୟାରେଜ ଓ ବାସଭବନ ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରେ ଦୀର୍ଘ ଦିନ ହେବ ବେଆଇନ ଭାବେ ବିପୁଳ ପରିମାଣର ଚୋରା ସ୍କ୍ରାପ୍ଟ ଗଛିତ ରଖାଯାଇ ବାହାରକୁ ଚାଲାଣ କରାଯାଉଥିବା ନେଇ ପୋଲିସ ସୂଚନା ପାଇଥିଲା। ଚଢ଼ାଉ ବେଳେ ଚୋରା ସ୍କ୍ରାପ୍ଟ ବୋଝେଇ ହେଉଥିବା ଏକ ଟ୍ରକକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଡ଼ା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta