


ବଲାଙ୍ଗୀର, ୦୩ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ସଦର ମହକୁମା ସ୍ଥିତ ପଂଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଆପତିଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣୀ କରିଥିଲେ। ଶିବିରରେ ସମୁଦାୟ ୫୭ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୫୪ଟି ବ୍ୟକ୍ତିଗତ, ଦଳଗତ ଭାବେ ୩ଟି ଦରଖାସ୍ତ ସାମିଲ ଥିଲା। ସେଥିମଧ୍ୟରୁ ୦୭ଟି ଅଭିଯୋଗର ତତ୍କଷଣାର ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ବଲାଙ୍ଗୀର ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଡେପୁଟି କଲେକ୍ଟର ନିବେଦିତା ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ