
ଜୟପୁର, ୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଚାଷୀଙ୍କୁ ରଚିତ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ବ୍ୟବସ୍ଥା କରୁଥିବାବେଳେ ବଣ୍ଟନ ବ୍ୟବସ୍ଥାରେ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଚାଷୀ ଶୋଷଣର ଶିକାର
ହେଉଥିବା ଅଭିଯୋଗ ହୋଇଛି । ସରକାରୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ୟୁରିଆ, ଡିଏପି ଓ ପଟାସ ଭଳି ସାର କିଣିବାକୁ ଚାଷୀ କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ରହିଛି । କମ୍ପାନି ଚାପରେ ଡିଲର୍ ଓ ରିଟେଲରମାନେ ସାର ସହିତ ଅତିରିକ୍ତ ୧୫୦ରୁ ୨୦୦ ଟଙ୍କାର ଜିଙ୍କ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ଏହା ଫଳରେ ଚାଷୀଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ବଢୁଛି । ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସତ୍ତ୍ୱେ ଚାଷୀଙ୍କୁ ଅଧିକ ମୂଲ୍ୟ ଦେଇ ସାର କିଣିବାକୁ ପଡୁଥିବାରୁ ଅସନ୍ତୋଷ ବଢ଼ିଛି । କେତେକ ଡିଲର ଓ ରିଟେଲରଙ୍କ କହିବା ଅନୁଯାୟୀ, କମ୍ପାନି ପକ୍ଷରୁ ଅତିରିକ୍ତ ସାମଗ୍ରୀ ନେବାକୁ ଚାପ ରହୁଥିବାରୁ ସେମାନେ ବାଧ୍ୟ ହୋଇ ଚାଷୀଙ୍କୁ ଏହା ବିକ୍ରି କରୁଛନ୍ତି । ଏଥିରେ ସେମାନଙ୍କର ମଧ୍ୟ ଅସନ୍ତୋଷ ରହିଥିବା ସେମାନେ କହିଛନ୍ତି । କୋରାପୁଟ ଜିଲ୍ଲାରେ ଖରିଫ ଋତୁରେ ୟୁରିଆ ୨୪ ହଜାର ୫ ଶହ ମେଟ୍ରିକ ଟନ, ଡିଏପି ୧୧ ହଜାର ୯ ଶହ ମେଟ୍ରିକ ଟନ, ଏମଓପି ୬ ହଜାର ୩୯୦ ମେଟ୍ରିକ ଟନ, ଏନପିକେଏସ ୯ ହଜାର ୮ଶହ ୯୦ ଏସଏସପି ୩ ଶହ ମେଟ୍ରିକ ଟନ ମୋଟ ୫୨ ହଜାର ୯୮୦ ମେଟ୍ରିକ ଟନ ସାର ଆବଶ୍ୟକତା ରହିଛି । ୩୧.୭.୨୬ ଭିତରେ ୟୁରିଆ ସହ ସମସ୍ତ ସାର ୩୪ ହଜାର ୭୬୫.୭୭ ମେଟ୍ରିିକଟନ ସାର ଆସିଛି । ଜିଲାରେ ୪୬ଟି ହୋଲସେଲର ରହିଥିବା ବେଳେ ୩୨୯ଟି ରିଟେଲର ରହିଛନ୍ତି ।
ସରକାରୀ ବ୍ୟବସ୍ଥା ଅନୁଯାୟୀ, ଚଳିତ ଖରିଫ ଋତୁରେ ୬୦ ପ୍ରତିଶତ ସାର ମାର୍କଫେଡ୍ ମାଧ୍ୟମରେ ସମବାୟ ସମିତି ଜରିଆରେ ଏବଂ ୪୦ ପ୍ରତିଶତ ସାର ଘରୋଇ ଡିଲର ଓ ରିଟେଲରଙ୍କ ମାଧ୍ୟମରେ ବିକ୍ରି କରାଯାଉଛି । ତେବେ ସବୁ ଗାଁରେ ସମବାୟ ସଂସ୍ଥାର ସୁବିଧା ନଥିବାବେଳେ ଗାଁ ଗାଁରେ ଘରୋଇ ରିଟେଲର ରହିଛନ୍ତି । ଏହାର ସୁଯୋଗ ନେଇ ତଳସ୍ତରରେ କେତେକ ରିଟେଲର ମନମୁଖୀ ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୟୁରିଆର ସର୍ବାଧିକ ନିର୍ଦ୍ଧାରିତ ମୂଲ୍ୟ ବସ୍ତା ପିଛା ୨୬୬ ଟଙ୍କା ଥିବାବେଳେ ଚାଷୀଙ୍କ ନିକଟରେ ଏହା ୪ଶହରୁ ୫ଶହ ଟଙ୍କାରେ ପହଞ୍ଚୁଥିବା ଅଭିଯୋଗ ରହିଛି । ସେହିପରି ଡିଏପିର ନିର୍ଦ୍ଧାରିତ ମୂଲ୍ୟ ୧୩୫୦ ଟଙ୍କା ଥିବାବେଳେ ଏହା ୨୧ ଶହରୁ ୨୪ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଧାନ କିଣା ଭଳି ସାର ବିକ୍ରିର ଦାୟିତ୍ୱ ମଧ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଦିଆଯାଇଛି । ତେବେ କେତେକ ପ୍ୟାକ୍ସ ଅଧିକାରୀଙ୍କ ବିରୋଧରେ ସାର ବଣ୍ଟନରେ ଅନିୟମିତତା ଓ ପକ୍ଷପାତିତାର ଅଭିଯୋଗ ଉଠିଛି । ଯୋଗ୍ୟ ଚାଷୀଙ୍କୁ ଗୋଟିଏ ବସ୍ତା ସାର ପାଇବା କଷ୍ଟକର ହେଉଥିବା ବେଳେ କେତେକ ବ୍ୟକ୍ତିଙ୍କୁ ବସ୍ତା ବସ୍ତା ସାର ମିଳୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସାର ମହଜୁଦ ଥିବାବେଳେ ବିଭିନ୍ନ ପର୍ଯ୍ୟାୟରେ ଆହୁରି ସାର ଆସୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ କାହ୍ନୁ ଚରଣ ଦାସ କହିଛନ୍ତି ଯେ, ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି । ଯେଉଁ ସାର ବିକ୍ରେତା ମାନେ ଚଢା ଦରରେ ବିକ୍ରୟ କରୁଛନ୍ତି ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି