




ଖୋର୍ଦ୍ଧା, 03 ଅଗଷ୍ଟ (ହି.ସ.)ଗତମାସ ୩୧ତାରିଖ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ପାନବରଜରେ ଘଟିଥିବା ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ସହିତ ମୋଟ୍ ଆଠ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ, ଖୋର୍ଦ୍ଧା ଆଦର୍ଶ ଥାନା ପାନବରଜ ଗାଁର ଏସ୍.କେ. ନସିମ୍ ଓରଫ୍ ବବୁଲ୍(୩୪), ତୋଟାପଡ଼ାର ମେହେରାଜ୍ ଖାନ ଓରଫ୍ ରାଜା(୨୫), ପାନବରଜର ରୋଷନ ମହାରଣା ଓରଫ୍ ଶିବା(୨୨), ସାମନ୍ତରାୟପୁରର ଦେବାଶିଷ ସ୍ବାଇଁ ଓରଫ୍ ଶିବା(୨୮), ପାନବରଜର ସୂର୍ଯ୍ୟନାରାୟଣ ମହାନ୍ତି ଓରଫ୍ ମିକୁ(୨୭), ପାନବରଜ ମଝିସାହିର ପରେଶ ମହାନ୍ତି ଓରଫ୍ ବୁନୁ(୩୧), ପାନବରଜର ସୌମ୍ୟ ନାରାୟଣ ମହାନ୍ତି ଓରଫ୍ ଲିକୁ(୨୨), ଚନ୍ଦକା ଥାନା ଗୋଠପାଟଣାର ଦେବୀଦତ୍ତ ମହାନ୍ତି(୩୪)। ଏମାନଙ୍କଠାରୁ ପୋଲିସ ଏକ ପିସ୍ତଲ (ଆମେରିକାରୁ ପ୍ରସ୍ତୁତ ଲେଖାଥିବା), ଚାରି ଗୋଟି ଜୀବନ୍ତ ଗୁଳି, ଦୁଇଟି କାର୍ (ଓଡି ୦୨ବିଜେଡ୍-୧୧୮୬, ଓଡି ୦୨ଏୟୁ-୩୫୫୫), ଗୋଟିଏ ସ୍କର୍ପିଓ(ଓଡି ୦୨ଡିଏନ୍-୩୫୫୫), ଛଅଟି ମୋବାଇଲ୍ ଫୋନ୍ ଓ ନଗଦ ୯ହଜାର ୫୦୦ଟଙ୍କା ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ମହାନ୍ତି ଓରଫ୍ ମିକୁ ଗୁଳି ଚାଳନା କରିଥିଲା ବୋଲି ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ପରମାରସ୍ମିତ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।ପୋଲିସ ସୁଚନା ମୁତାବକ, ଏ ଘଟଣାର ମୁଖ୍ୟ କାରଣ ପ୍ଲଟିଂ କାରବାର ଓ ଦାଦାବଟି। ଏ ଅଭିଯୋଗ ଗୁଳି ଖାଇଥିବା ବ୍ୟକ୍ତି କିମ୍ବା ପରିବାର କରି ନାହାନ୍ତି। ବରଂ, ଯାହାଙ୍କ ପାଇଁ ଏ କାଣ୍ଡ ଘଟିଲା ସେ ଏତଲାକାରୀ ବୋଲି ପୋଲିସ ଦର୍ଶାଇଛି। ସେ ହେଉଛନ୍ତି, ଖୋର୍ଦ୍ଧା ଜିଲ୍ଲା ଜକରା ବାସିନ୍ଦା ଦିବ୍ୟଜ୍ୟୋତି ମିଶ୍ର। ଏତଲା ମୁତାବକ, ଦିବ୍ୟଜ୍ୟୋତି କୁଆଡ଼େ ପ୍ଲଟିଂ ବ୍ୟବସାୟ କରନ୍ତି। ଏହି ବ୍ୟବସାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ କନ୍ଦଳ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଗତମାସ ୩୧ତାରିଖ ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ତୋଟାପଡ଼ାରୁ ଜରିପୁଟ୍ ରାସ୍ତା ଦେଇ ଅଭିଯୋଗକାରୀ ଦିବ୍ୟଜ୍ୟୋତି ଘରକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଏକ ଧଳା ସ୍କର୍ପିଓ ଗାଡ଼ିରେ ଆସି ଅଟକାଇଥିଲେ। ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି କହିଥିଲେ, ଆମ ଅଞ୍ଚଳରେ ପ୍ଲଟିଂ ବ୍ୟବସାୟ କରି ବେଶ ଦିପଇସା ରୋଜଗାର କରୁଛୁ। ଆମର ଦାଦାବଟି କାହିଁ? ଏହା ପଚାରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇ ମୁଣ୍ଡରେ ବନ୍ଧୁକ ଲଗାଇ ସ୍ପର୍ପିଓ ଗାଡ଼ିରେ ଟେକି ନେଇଯାଇଥିଲେ। ପାନବରଜ ସଡ଼କ ସାହି ଉମେଶ ପାନ ଦୋକାନ ପାଖରେ ଥିବା ମୁଖ୍ୟ ରାସ୍ତାରେ ଦିବ୍ୟଜ୍ୟୋତିଙ୍କୁ ଓହ୍ଲାଇ ମାଡ ମାରିଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଏସ୍କେ ସୌକତ ଅଲ୍ଲୀ ଓରଫ୍ ରିୟାଜ, ଏସ୍କେ ଓସିମ୍ ଓରଫ୍ ରାଜା ତୁରନ୍ତ ଦିବ୍ୟଜ୍ୟୋତିଙ୍କୁ ଉଦ୍ଧାର କରିବା ବେଳେ ତାଙ୍କୁ ବି ମାଡ ମାରିଥିଲେ । ଏପରିକି ଶୀଘ୍ର ଏରିଆ ଛାଡ଼ିଦେ, ନଚେତ୍ ଗୁଳି କରି ଦେବୁ ବୋଲି କହି ଅଭିଯୁକ୍ତ ମିକୁ ସେଠାରେ ଉପସ୍ଥିତ ଥିବା ଓସିମଙ୍କ ଆଡ଼କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। କିନ୍ତୁ, ଏ ଗୁଳି ଓସିମ୍ଙ୍କଠାରେ ବାଜିବା ବଦଳରେ ସେହି ସମୟରେ ପାନ ଖାଇବାକୁ ଯାଉଥିବା ପାନବରଜର ଅନିଲ୍ ଛୋଟରାୟ ଓରଫ୍ ମିଲୁଙ୍କ ଡାହାଣ କାନ୍ଧରେ ବାଜିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ।ପରେ ସ୍ଥାନୀୟ ଲୋକେ ମିଲୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମିଲୁଙ୍କର ଅବସ୍ଥା ଭଲ ଥିବା ସୂଚନା ମିଳିଛି।ଆଜିର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ଶ୍ରୀ ଦାସଙ୍କ ସହିତ ଖୋର୍ଦ୍ଧା ଏସ୍ଡିପିଓ ପଙ୍କଜ ମାଝି, ଖୋରଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ