

ସୁବର୍ଣପୁର, ୦୩ ଅଗଷ୍ଟ (ହି.ସ.) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୫୨ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୪୧ ବ୍ୟକ୍ତିଗତ ଏବଂ ୧୦ଟି ସାମୂହିକ ଦରଖାସ୍ତ ଥିଲା ଏବଂ ୧ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ପାଇଁ ଆସିଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ସୋନପୁର ଡ.ସୌମ୍ୟରୂପା ରଥ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାସ, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର, ସହାୟକ ଜିଲ୍ଲାପାଳ ଅଭିଯୋଗ ଶାଖା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ମଂଚାସୀନ ଥିଲେ। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ତାଙ୍କର ବ୍ଲକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
----------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ