
ନୂଆପଡ଼ା, ୩ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକର ଅଣଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ତିନି ଦଫା ଦାବି ନେଇ ଖଡ଼ିଆଳ ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ।ଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ତୁରନ୍ତ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରାଯାଉ, ଏମ୍.ସି.ଏ.ଡି. ନିୟମ ଅନୁଯାୟୀ ପୂର୍ଣ୍ଣାଙ୍ଗ ପାଣି ପଞ୍ଚାୟତ ଶୀଘ୍ର ଗଠନ କରାଯାଉ ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗରେ ଆବଶ୍ୟକ କର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି ଦିଆଯାଉ ଭଳି ୩ ଦଫା ଦାବିରେ ଧାରଣା ଦିଆଯାଇଛି।
କମିଟିର ସଦସ୍ୟମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ସେଚନ ସୁବିଧାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉନଥିବାରୁ ସେମାନେ ଧାରଣାକୁ ଓହ୍ଲାଇଛନ୍ତି। ଆଜିର ଧାରଣାରେ କମିଟିର ସଭାପତି ଜଗତରାମ ଶବର, ସମ୍ପାଦକ ସିଦ୍ଧାର୍ଥ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଅମ୍ବିକା ପ୍ରସାଦ ତ୍ରିବେଦୀ, ଅମରେଶ ପଟ୍ଟନାୟକ, କୁଳମଣି ନାୟକ, ଗୌତମ ମୁଣ୍ଡ, ପ୍ରଦୀପ ତ୍ରିବେଦୀ, ନୃପରାଜ ମହାପାତ୍ର, ପରମାନନ୍ଦ ଭୋଇ, ମୋହନ ଭୋଇଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଚାଷୀମାନେ ସତର୍କ କରିଛନ୍ତି ଯେ, ଶୀଘ୍ର ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ସେମାନେ ଜିଲ୍ଲା ପ୍ରଶାସନଙ୍କୁ ଚାଷୀଙ୍କ ଦୀର୍ଘଦିନର ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ