
ଝାରସୁଗୁଡ଼ା, ୩ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆର୍. କୁଦୋପାଲି ଗ୍ରାମପଞ୍ଚାୟତର ଭୂମିହୀନ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଜମିର ପଟ୍ଟା ପ୍ରଦାନ ଦାବିରେ ସୋମବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଅନେକ ଭୂମିହୀନ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିଲେ ମଧ୍ୟ ଜମିର ପଟ୍ଟା ନଥିବାରୁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି। ଫଳରେ ସରକାରୀ ଯୋଜନାର ସୁବିଧା ପାଇବାରେ ସେମାନେ ବଞ୍ଚିତ ହେଉଛନ୍ତି। ତେଣୁ ଶୀଘ୍ର ସରକାରୀ ପ୍ରକ୍ରିୟା ସମ୍ପନ୍ନ କରି ଜମିର ପଟ୍ଟା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ସେମାନେ ତୁରନ୍ତ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ।
ଏହି ଦାବିପତ୍ରକୁ କୁଦୋପାଲି ଗ୍ରାମପଞ୍ଚାୟତର ସରପଞ୍ଚ କଲ୍ୟାଣୀ ଦୀକ୍ଷିତ ସମର୍ଥନ କରିବା ସହ ସୁପାରିଶ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବାସନ୍ତୀ ଓରାମ, ଆରିତା ବର୍ମା, ବାସନ୍ତୀ ରାଉତ, ପୁଷ୍ପା ରାଉତ, ବିନୋଦିନୀ ଓରାମ, ଆଶା ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
ଏ ପ୍ରସଙ୍ଗରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ସମସ୍ୟାର ଗୁରୁତ୍ୱକୁ ବିଚାର କରି ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ