
ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର କରିବାରେ ମାଲକାନଗିରି ସାଇବର ପୋଲିସକୁ ମିଳିଛି ବଡ଼ ସଫଳତା। ମାତ୍ର ଏକ ମାସ ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ହଜିଯାଇଥିବା ଓ ଚୋରି ହୋଇଥିବା ୩୪ଟି ମୋବାଇଲ୍ ଫୋନ୍ ଉଦ୍ଧାର କରିଛି ସାଇବର ପୋଲିସ।
ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ ଗୁଡ଼ିକୁ ଏହାର ପ୍ରକୃତ ମାଲିକମାନଙ୍କୁ ଥାନାକୁ ଆଜି ଡାକି ହସ୍ତାନ୍ତର କରାଯାଇଛି। ଦୀର୍ଘଦିନ ପରେ ନିଜ ମୋବାଇଲ୍ ଫେରି ପାଇ ମାଲିକମାନଙ୍କ ମୁହଁରେ ଦେଖିବାକୁ ମିଳିଛି ଖୁସିର ଝଲକ। ସାଇବର ପୋଲିସର ଏହି ସଫଳତା ପଛରେ ରହିଛି ଟେକ୍ନିକାଲ୍ ତଦନ୍ତ ଓ ନିରନ୍ତର ପ୍ରୟାସ। ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ପୋଲିସକୁ ଜଣାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏହା ସହିତ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବେ, ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୁପ୍ତ ତଥ୍ୟ କାହା ସହିତ ଶେୟାର ନକରିବା ନେଇ ମଧ୍ୟ ସାଇବର ଆୱାରନେସ୍ ବାର୍ତ୍ତା ଦିଆଯାଇଛି।
ମାଲକାନଗିରି ସାଇବର ପୋଲିସର ଏହି ପଦକ୍ଷେପ ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ବିଶ୍ୱାସ ବଢ଼ାଇବା ସହ ସାଇବର ସୁରକ୍ଷା ପ୍ରତି ଲୋକଙ୍କୁ ଅଧିକ ସଚେତନ କରିବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ