
ନୂଆପଡ଼ା,୩ ଅଗଷ୍ଟ (ହି.ସ.)- ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ନୂଆପଡ଼ା ଜିଲ୍ଲା ବୋଡ଼େନ ସ୍ଥିତ ପ୍ରସିଦ୍ଧ ପାତାଳ ଗଙ୍ଗାରେ ହଜାର ହଜାର କାଉଡ଼ିଆ ଓ ଶିବଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭୋରୁଠାରୁ ଭକ୍ତମାନେ ପାତାଳ ଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ପରିବେଶ ମଧ୍ୟରେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପ୍ରଭୁ ଶିବଙ୍କ ନିକଟରେ ଜଳାଭିଷେକ କରିଥିଲେ। ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ବୋଡ଼େନ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପାତାଳ ଗଙ୍ଗା ପରିସରରେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ଜଳ ସଂଗ୍ରହ ଓ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଶ୍ରାବଣର ପ୍ରଥମ ସୋମବାରରେ ସମଗ୍ର ପାତାଳ ଗଙ୍ଗା ଅଂଚଳ ଶିବଭକ୍ତଙ୍କ ଜୟଘୋଷ ଓ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଏହି ଅବସରରେ ପାତାଳ ଗଙ୍ଗା ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ବିଜେପି ରାଜ୍ୟ କାରିଣୀ ସଦସ୍ୟ ଲମ୍ବୋଦର ନିଅଳଙ୍କ ପକ୍ଷରୁ ଶହ ଶହ କାଉଡ଼ିଆ ଓ ଭକ୍ତଙ୍କ ପାଇଁ ମାଗଣା ଭୋଗ ବଂଟନର ଆୟୋଜନ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମକୁ ଭକ୍ତମାନେ ପ୍ରଶଂସା କରିବା ସହ ଆନନ୍ଦର ସହିତ ଭୋଗ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ