




ସମ୍ବଲପୁର, ୦୩, ଅଗଷ୍ଟ (ହି.ସ.) ଶ୍ରାବଣ ମାସର ପବିତ୍ର ସୋମବାରରେ ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରର ଶିବ ଭକ୍ତଙ୍କ ସମାଗମରେ ଶିବମୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ହର ହର ମହାଦେବ ଧ୍ୱନିରେ ସମସ୍ତ ଶିବାଳୟ ପରିସର ପ୍ରକମ୍ପିତ ହୋଇଥିବା ବେଳେ ବୋଲବମ୍ ଭକ୍ତଙ୍କ ଭିଡ଼ରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।
ଧମାସ୍ଥିତ ବକ୍ରେଶ୍ୱର ଶିବମନ୍ଦିର, ଚାରମାଲ ସ୍ଥିତ ବାବା କପିଲେଶ୍ୱର ଶିବମନ୍ଦିର, ରେଢ଼ାଖୋଲସ୍ଥିତ ବାବା କାଶୀ ବିଶ୍ୱନାଥ ଶିବମନ୍ଦିର, କଦଳୀଗଡ଼ ଶିବମନ୍ଦିର ଏବଂ ନାକଟିଦେଉଳ ଶିବମନ୍ଦିର ସମେତ ବିଭିନ୍ନ ଶିବପୀଠରେ ଜଳାଭିଷେକ ପାଇଁ ବୋଲବମ୍ ଶ୍ରଦ୍ଧାଳୁଙ୍କ ବେଶ୍ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା। ଗେରୁଆ ବସ୍ତ୍ର ପରିଧାନ କରି, ଗଳାରେ ରୁଦ୍ରାକ୍ଷ ମାଳା ଓ ହାତରେ ଧ୍ୱଜା ଧରି ଭକ୍ତମାନେ ବୋଲ ବମ୍ ଏବଂ ହର ହର ବସ୍ ଧ୍ୱନୀ ସହ ମନ୍ଦିରରେ ପହଞ୍ଚି ଶିବଲିଙ୍ଗରେ ଜଳାଭିଷେକ କରିଥିଲେ। କେହି କାଉଡ଼ିରେ ଜଳ ବହନ କରି ଆସିଥିବା ବେଳେ ଅନ୍ୟମାନେ ଭକ୍ତିଭାବରେ ବାବାଙ୍କ ନାମ ସଂକୀର୍ତ୍ତନ କରୁଥିଲେ।
ବୋଲବମ୍ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ପୁରୁଷ ଭକ୍ତଙ୍କ ସହ ତାଳକୁ ତାଳ ଦେଇ ମହିଳା ଭକ୍ତଙ୍କ ସମାଗମ କିଛି ଭିନ୍ନତା ସୃଷ୍ଟି କରାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ