

କନ୍ଧମାଳ, ୦୩ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ମାନ ବୃଦ୍ଧି କରିବା ଲକ୍ଷ୍ୟରେ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଦ୍ୱାରା ପରିଚାଳିତ ଆରମ୍ଭ ହୋଇଥିବା ଯୋଜନା “ଟିଚ୍ କନ୍ଧମାଳ” କାର୍ଯ୍ୟକ୍ରମ ଅଧିନରେ ଜୁଲାଇ ୨୭, ୨୦୨୬ ରିଖରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଖଜୁରୀପଡ଼ା ବ୍ଲକର ବିଭିନ୍ନ ଗ୍ରାମ ଓ ପଂଚାୟତରେ ଥିବା ୧୯ଟି ବିଦ୍ୟାଳୟକୁ ଗସ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଜି ଜିଲ୍ଲାପାଳ ଟିଟ୍ରାପାଙ୍ଗା ପଂଚାୟତର କଲାଡ଼ି ସ୍ଥିତ ଏମ୍.ବି.ଡ଼ି. ହାଇସ୍କୁଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦ ଦୁତିମେଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଡି.ଏଫ୍.ଓ. ଖଜୁରୀପଡ଼ା ସ୍ଥିତ କଳିଙ୍ଗ ୭ ମଡେଲ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେହିପରି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଫୁଲବାଣୀ ଉପ-ଜିଲ୍ଲାପାଳ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ତହସିଲଦାର ଓ ବି.ଡି.ଓ. ପ୍ରମୁଖ ବିଭିନ୍ନ ସରକାରୀ ଓ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ପ୍ରତ୍ୟକ୍ଷ ଭାବେ ସ୍କୁଲଗୁଡ଼ିକୁ ଯାଇ ଶିକ୍ଷାଦାନ ସ୍ଥିତି ଓ ଭୌତିକ ପରିବେଶର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଶାସନିକ ସ୍ତରରେ ଗ୍ରାମାଂଚଳ ବିଦ୍ୟାଳୟଗୁଡ଼ିକର ସମସ୍ୟା ଦୂର ହେବାସହ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବବୋଲି ଆଶା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ