ବଜ୍ରପାତରେ ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ
Teacher died in lighting
Teacher died


ଝାରସୁଗୁଡା, ୩ ଅଗଷ୍ଟ (ହି.ସ.)- ଝାରସୁଗୁଡା ଲଇକେରା ବ୍ଲକ ଅନ୍ତର୍ଗତ ବାବୁଛିପିଡିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ପଟେଲ (୫୯)ଙ୍କର ସୋମବାର ପୂର୍ବାହ୍ନରେ ବଜ୍ରପାତରେ ଅକାଳ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ସୋମବାର ପ୍ରାୟ ଦିନ ୧୨ଟା ୩୦ ମିନିଟ୍ ସମୟରେ ପଟେଲ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ମହୁଲ ଗଛ ତଳେ ଚୌକିରେ ବସିଥିବା ବେଳେ ହଠାତ୍ ପ୍ରଚଣ୍ଡ ଘଡ଼ଘଡ଼ି ମାରିଥିଲା। ଘଡ଼ଘଡ଼ିର ଭୟଙ୍କର ଶବ୍ଦ ସହ ସେ ଚୌକିରୁ ତଳେ ପଡ଼ିଯାଇଥିଲେ। ଏହା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ତେବେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲଇକେରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

ଶ୍ରୀ ପଟେଲ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଶିକ୍ଷକ ମହଲ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande