
ସୁବର୍ଣ୍ଣପୁର, ୦୩ ଅଗଷ୍ଟ(ହି.ସ.) – ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ୧୨ ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମର୍ଜେନ୍ସି ବିଭାଗରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋନପୁର ନିକଟସ୍ଥ ପାଣିସିଆଲି ଗାଁର(ଅଜୁ) ପ୍ରଶାନ୍ତ ତ୍ରିପାଠୀ। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତ ରାତିରେ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା କରି ସୁଗର୍ କମ୍ଥିବା କହିବା ସହିତ ଗ୍ଲୁକୋଜ ଚଢ଼ାଇ ଥିଲେ। ପରେ ସେ ସୁସ୍ଥ ଅନୁଭବ କରି ଘରକୁ ଯିବା ପାଇଁ କହିଥିଲେ। ହେଲେ ଡାକ୍ତର ତାଙ୍କୁ ପୁଣି ଏକ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ ପରିବାର ପକ୍ଷରୁ କରାଯାଇଥିବାବେଳେ ପୋଲିସ ଡାକ୍ତରଖାନାକୁ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ କରୁଥିବା ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ