
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ପୁରୀ
ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖିଛନ୍ତି ।
ଚିଠିରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ), ପୁରୀ
ପକ୍ଷରୁପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ମାନବଜାତିର
ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ; ଏହା
ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ସର୍ବସମାବେଶୀ ଚେତନା,
ଆଧ୍ୟାତ୍ମିକତା,
ପାରମ୍ପରିକ କାରିଗରୀ,
ସଙ୍ଗୀତ, ନୃତ୍ୟ ଏବଂ ସାମୂହିକ ଜନଅଂଶଗ୍ରହଣର ଏକ ଚିରନ୍ତନ ସଭ୍ୟତାଗତ ପରମ୍ପରାର
ପ୍ରତୀକ। ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ମହାପର୍ବ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷ
ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଏବଂ ଭାରତର ଜୀବନ୍ତ ସାଂସ୍କୃତିକ ଐତିହ୍ୟର
ଏକ ଅନନ୍ୟ ପ୍ରତୀକ ଭାବେ ପରିଚିତ। ୟୁନେସ୍କୋର ଏହି ତାଲିକାରେ ଏହାର ସ୍ଥାନ ପାଇବା ଦ୍ୱାରା
ଭାରତର ସମୃଦ୍ଧ ଅମୂର୍ତ୍ତ ସାଂସ୍କୃତିକ ପରମ୍ପରା ବିଶ୍ୱସ୍ତରରେ ଅଧିକ ସ୍ୱୀକୃତି ଲାଭ କରିବା ସହ
ଏହାର ସଂରକ୍ଷଣ ଓ ପ୍ରସାରରେ ମଧ୍ୟ ଉଲ୍ଲେଖନୀୟ ସହାୟକ ହେବ।
ଏଥିପାଇଁ ସମସ୍ତ ଆବଶ୍ୟକ
ସହାୟକ ଦସ୍ତାବିଜ ଏବଂ ସମ୍ବନ୍ଧିତ ସାମଗ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ
ହିଁ ଦାଖଲ କରାଯାଇଛି।
ଏହି ମହାପର୍ବର ଅସାଧାରଣ
ସାଂସ୍କୃତିକ ମହତ୍ତ୍ୱ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ଓ ମାନବୀୟ ମୂଲ୍ୟବୋଧର ସାର୍ବଜନୀନ
ବାର୍ତ୍ତାକୁ ଦୃଷ୍ଟିରେ ରଖି, ପ୍ରସ୍ତାବଟିର ପରୀକ୍ଷାକୁ ତ୍ୱରାନ୍ୱିତ କରିବା ସହିତ ୟୁନେସ୍କୋ
ନିକଟରେ ଏହାର ନାମାଙ୍କନ ପ୍ରକ୍ରିୟାକୁ ଶୀଘ୍ର ଆଗକୁ ବଢ଼ାଇବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ
ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି
ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା