
ଜୟପୁର, ୩ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ବାଣିଜ୍ୟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ବେଳେ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ଼ଃ. ଦେବଦତ୍ତ ଇନ୍ଦୋରିଆ ସଭାପତିତ୍ୱ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବାଣିଜ୍ୟ ଶିକ୍ଷାର ଗୁରୁତ୍ୱ, ନବସୃଜନ, ଦକ୍ଷତା ବିକାଶ ଓ ନୈତିକ ବ୍ୟବସାୟିକ ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ପ୍ରେରଣାଦାୟକ ଅଭିଭାଷଣ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷା ଓ କ୍ୟାରିୟରରେ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରିତ କରିଥିଲା।
ଏହି ଅବସରରେ ସଚିନ କୁମାର ନାୟକ, ସହକାରୀ ଅଧ୍ୟାପକ, ବାଣିଜ୍ୟ ବିଭାଗ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅର୍ଥନୀତିରେ ବାଣିଜ୍ୟ କ୍ଷେତ୍ର ସ୍ଥାୟୀ ଅଭିବୃଦ୍ଧି, ଉଦ୍ୟୋଗୀକରଣ, ନବସୃଜନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବାଣିଜ୍ୟ ଦିବସ ପାଳନ ଦକ୍ଷ ପେଶାଦାର, ଦାୟିତ୍ୱବାନ ଉଦ୍ୟୋଗୀ, ନୈତିକ ବ୍ୟବସାୟିକ ନେତୃତ୍ୱ ଏବଂ ସଚେତନ ନାଗରିକ ଗଠନରେ ବାଣିଜ୍ୟ ଶିକ୍ଷାର ଗୁରୁତ୍ୱକୁ ସ୍ୱୀକୃତି ଦେବାର ଏକ ସୁଯୋଗ। ଏହା ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ, ଚିନ୍ତାଧାରାର ଆଦାନ-ପ୍ରଦାନ ଏବଂ ବ୍ୟବସାୟ, ଅର୍ଥନୀତି, ହିସାବ ବିଜ୍ଞାନ, ବିପଣନ, କର ବ୍ୟବସ୍ଥା ଓ ଡିଜିଟାଲ ବାଣିଜ୍ୟ କ୍ଷେତ୍ରର ନୂତନ ଧାରା ସମ୍ପର୍କରେ ଅବଗତ ହେବାର ସୁଯୋଗ ପ୍ରଦାନ କରେ।”
କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସାହୁ, ଶ୍ରୀମତୀ ଜି. ମୌନିକା, ଡ଼ଃ. ମର୍ସି ମୌସୁମୀ ଟାକ୍ରୀ ଏବଂ ଶ୍ରୀମତୀ ସୋନାଲି ଭୋଇ ମଧ୍ୟ ଉପସ୍ଥିତ ଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଗବେଷଣା ଓ ବୃତ୍ତିଗତ ବିକାଶ ଦିଗରେ ଆଗେଇ ଯିବା ପାଇଁ ପ୍ରେରଣା ଦେଇଥିଲେ।
କାର୍ଯ୍ୟକ୍ରମରେ ବାଣିଜ୍ୟର ଜାତୀୟ ଉନ୍ନତି, ଉଦ୍ୟୋଗୀକରଣ ଓ ଆର୍ଥିକ ବିକାଶରେ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ବିଭିନ୍ନ ସମସାମୟିକ ବାଣିଜ୍ୟିକ ବିଷୟ ଉପରେ ନିଜର ମତାମତ ପ୍ରକାଶ କରିଥିଲେ।
ଶେଷରେ ଶ୍ରୀମତୀ ସୋନାଲି ଭୋଇ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାପରେ ସଭାର ସମାପ୍ତି ଘୋଷଣା କରାଯାଇଥିଲା।
ଏହି ବାଣିଜ୍ୟ ଦିବସ ପାଳନ ବିଭାଗର ଶିକ୍ଷାଗତ ଉତ୍କର୍ଷତା, ନବସୃଜନ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପ୍ରତି ଥିବା ଅଙ୍ଗୀକାରକୁ ପୁନର୍ବାର ପ୍ରତିପାଦିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି