
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱାୟତ ଶାସନ ଦିବସ-୨୦୨୬ ଭଦ୍ରକରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଭଦ୍ରକସ୍ଥିତ ସହିଦ ସ୍ମୃତି ଭବନ (ଟାଉନ ହଲ) ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୮୦୦ ଲୋକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମାକି ଦଲୱାଜୀ ହବିବ ସମ୍ମାନିତ ଅତିଥି, ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ମହାନ୍ତ ଏବଂ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର କହିଥିଲେ ଯେ, ସ୍ୱାୟତ ଶାସନ ହେଉଛି ତୃଣମୂଳସ୍ତରରେ ଗଣତନ୍ତ୍ରକୁ ମଜବୁତ କରିବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ। ସହରର ଉନ୍ନତି କେବଳ ସରକାର କିମ୍ବା ପୌରପାଳିକାର ଦାୟିତ୍ୱ ନୁହେଁ; ଏଥିରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ। ସେ କହିଥିଲେ ଯେ ଭଦ୍ରକ ସହରର ବିକାଶ ପାଇଁ ରାସ୍ତା, ଡ୍ରେନେଜ, ପାନୀୟଜଳ, ଆଲୋକୀକରଣ, ସ୍ୱଚ୍ଛତା ଓ ନାଗରିକ ସୁବିଧା ଭଳି ମୌଳିକ ଆବଶ୍ୟକତାଗୁଡ଼ିକୁ ପ୍ରାଥମିକତା ଦେବା ଆବଶ୍ୟକ। ଭଦ୍ରକକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ସୁସ୍ଥ ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭଦ୍ରକ ଗଠନ ପାଇଁ ଘରୁ ଅଳିଆ ବାହାର କରିବା ସମୟରେ ଆବର୍ଜନାକୁ ପୃଥକୀକରଣ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ଏବଂ ପୌରପାଳିକାର ସ୍ୱଚ୍ଛତା ଅଭିଯାନରେ ନାଗରିକମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ନାଗରିକଙ୍କ ସହଯୋଗ ବିନା ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ସମ୍ଭବ ନୁହେଁ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ହବିବ କହିଥିଲେ ଯେ, ପୌରପାଳିକାର ମୂଳ ଲକ୍ଷ୍ୟ ହେଉଛି ନାଗରିକଙ୍କୁ ଉତମ ଓ ଗୁଣାତ୍ମକ ପୌରସେବା ପ୍ରଦାନ କରିବା। ନାଗରିକମାନଙ୍କ ଆବଶ୍ୟକତା ଓ ସମସ୍ୟାକୁ ଗୁରୁତ୍ୱ ଦେଇ ପୌରପାଳିକା ପକ୍ଷରୁ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କହିଥିଲେ ଯେ, ସ୍ୱାୟତ ଶାସନର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ନିକଟରେ ଶାସନ ଓ ସେବାକୁ ପହଂଚାଇବା। ପୌରପାଳିକା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି ସହରର ସାମଗ୍ରିକ ବିକାଶକୁ ଆହୁରି ଗତିଶୀଳ କରାଯିବ। ସେ ସ୍ୱଚ୍ଛତା, ନିରାପଦ ପାନୀୟଜଳ, ଉନ୍ନତ ଡ୍ରେନେଜ ବ୍ୟବସ୍ଥା, ରାସ୍ତା ଓ ଷ୍ଟ୍ରିଟ୍ ଲାଇଟ୍ ଭଳି ନାଗରିକ ସୁବିଧାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସହରର ବିକାଶ କାର୍ଯ୍ୟରେ ପାରଦର୍ଶିତା, ଓ ଜନସାଧାରଣଙ୍କ ସହଭାଗିତା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ସହରାଂଚଳର ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ। ସହରର ଭିତିଭୂମି ବିକାଶ ସହିତ ଗରିବ ଓ ଆବଶ୍ୟକତା ଥିବା ପରିବାରଙ୍କ ପାଇଁ ବିଭିନ୍ନ ଯୋଜନାର ସୁଫଳ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ନଗର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକର ସଫଳତା ପାଇଁ ପୌରପାଳିକା, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି ସେ କହିଥିଲେ। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ନିଜର ସ୍ୱାଗତ ଅଭିଭାଷଣରେ ସ୍ୱାୟତ ଶାସନ ଦିବସର ଐତିହାସିକ ଓ ପ୍ରଶାସନିକ ଗୁରୁତ୍ୱ ସମ୍ପର୍କରେ କହିଥିଲେ। ସ୍ଥାନୀୟ ସମସ୍ୟାର ସମାଧାନ ସ୍ଥାନୀୟ ସ୍ତରରେ ହେବା ସହିତ ନାଗରିକଙ୍କ ଅଭିଯୋଗ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପୌର ପ୍ରଶାସନକୁ ଅଧିକ ଜନମୁଖୀ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ସେ ନାଗରିକମାନଙ୍କୁ ସହରର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହିତ ପୌରପାଳିକାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ , ଭଦ୍ରକ ପୌରପାଳିକା ଅଧୀନରେ କାମ କରୁଥିବା ସଫେଇ ମିତ୍ର, ପି. ଏମ ସ୍ୱନିଧି ଯୋଜନାରେ ଅନ୍ତର୍ଗତ ଖୁଦ୍ର ବ୍ୟବସାୟୀ ଓ ସହଯୋଗ ସର୍ବେକ୍ଷଣରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାଚିତ ପ୍ରତିନିଧି, ଅଧିକାରୀ, କର୍ମଚାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ନାଗରିକଙ୍କ ସମେତ ପ୍ରାୟ ୮୦୦ ଜଣ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଡେପୁଟି କଲେକ୍ଟର ସୁନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । “ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଓ ବିକଶିତ ଭଦ୍ରକ” ଗଠନ ପାଇଁ ପ୍ରଶାସନ, ପୌରପାଳିକା ଓ ନାଗରିକମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ