
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଚଳନ୍ତା ଯାତ୍ରୀବାହୀ ବସରୁ ଖସିପଡି ଜଣେ କଣ୍ଡକ୍ଟରଙ୍କର ମୃତ୍ୟୁ ଘଟିଛି।ଏହିପରି ଦୁଃଖଦ ଘଟଣା ଆଜି ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଘଟିଥିବା ବେଳେ ମୃତକଙ୍କ ନାମ ପ୍ରଭାତ କୁମାର ମଳିକ(୪୦)ବୋଲି ଜଣାଯାଇଛି।ଅମାନତ(ନଂ ଓଡି-୧୯-ଏଲ ୨୩୮୮) ନାମକ ଘରୋଇ ବସ ଆଖଣ୍ଡଳମଣିରୁ ଯାତ୍ରୀ ନେଇ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ସୋମବାର ଯୋଗୁଁ ଗାଡ଼ିରେ ଲୋକ ଭିଡ଼ ଥିଲେ।ବସର କଣ୍ଡକ୍ଟର ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଇଚ୍ଛାପୁର ନିକଟ ବାଲିବିଲ ଅଂଚଳର ପ୍ରଭାତ ମଳିକ ଡୋର ପାଖରେ ଠିଆ ହୋଇଥିଲା ବେଳେ ବେତାଳିଗାଁ ପୂର୍ବରୁ ତେଲିପାଟଣା ନିକଟରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ।ଫଳରେ ବସ ପଛ ଚକ ପ୍ରଭାତଙ୍କ ଉପରେ ଚଢି ଯାଇଥିଲା ଏବଂ ମୁଣ୍ଡ ଛାତିରେ ଗୁରୁତର ଆଘାତ ହେତୁ ଘଟଣାସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲା ବେଳେ କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।ଖବରପାଇ ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ଦୁର୍ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ କଣ୍ଡକ୍ଟର ପ୍ରଭାତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଅମାନତ ବସକୁ ଜବତ କରି ଥାନାକୁ ନେଇଥିଲେ।ଏନେଇ ଧୂଷୁରୀ ଥାନାରେ ମାମଲା ସଂଖ୍ୟା-୩୭୭/୨୬ ରୁଜ୍ଜୁ କରାଯାଇଥିବା ଜଣାପଡିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ