
ଝାରସୁଗୁଡ଼ା, ୩୧ ଅଗଷ୍ଟ
: ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି ଓ ମୌଳିକ ଶିକ୍ଷାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କୋଲାବିରା ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ସହିତ ବଡ଼ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ସେମାନଙ୍କ ଶିକ୍ଷଣ ଦକ୍ଷତା ଓ ମୌଳିକ ଶିକ୍ଷାର ଫଳାଫଳ ପରଖିଥିଲେ। ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଶିକ୍ଷା ଭିତ୍ତି ଦୃଢ଼ କରିବା ସହ ସ୍କୁଲ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ପାଇଁ ସେ କୋମଳମତି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପରିଦର୍ଶନ ଅବସରରେ ଜିଲ୍ଲାପାଳ ସ୍ଥାନୀୟ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ଉନ୍ନତିରେ ସ୍ଥାନୀୟ ଲୋକଙ୍କ ସହଭାଗିତାକୁ ପ୍ରଶଂସା କରିବା ସହ ନୂତନ ସ୍କୁଲ କୋଠା ଏବଂ ସଂଯୋଗକାରୀ ରାସ୍ତା ନିର୍ମାଣ ସମ୍ପର୍କିତ ଦାବି ଉପରେ ସରକାରୀ ନିୟମ ଓ ସମ୍ବଳ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ତୁରନ୍ତ ଉପଯୁକ୍ତ ଜମି ଚିହ୍ନଟ କରିବାକୁ କୋଲାବିରା ବିଇଓଙ୍କୁ ତହସିଲଦାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମକୁ ଶତପ୍ରତିଶତ ସାକ୍ଷର କରିବା ଏବଂ ନାମଲେଖା ବୃଦ୍ଧି ଲାଗି ବିଇଓଙ୍କ ପଦକ୍ଷେପକୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ। ଏହା ପରେ ଜିଲ୍ଲାପାଳ ଗମ୍ଭାପାଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ସେ ଆଗାମୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଭେଟି ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ସହ ଚଳିତ ବର୍ଷ ବିଦ୍ୟାଳୟରୁ ଅତି କମରେ ୪୦ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ହାସଲ କରିବା ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ପାଇଁ ଜିଲ୍ଲାପାଳ ନିଜ ଜୀବନର ସଫଳତା କାହାଣୀ ଓ ଅନୁଭୂତି ବାଣ୍ଟିବା ସହିତ କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ ବିଦ୍ୟାଳୟ ପରିସର ଓ ଭୋଜନ ଶାଳା ବୁଲି ଦେଖିବା ସହ ପରିଚାଳନାଗତ ବ୍ୟବସ୍ଥା ଓ ଶିକ୍ଷଣୀୟ ପରିବେଶକୁ ପ୍ରଶଂସା କରିଥିଲେ। ବିଶେଷ କରି ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା 'ଭୋଜନ ମନ୍ତ୍ର' ପାଠ କରାଯିବା ଅଭ୍ୟାସ ପିଲାଙ୍କ ମଧ୍ୟରେ ଶୃଙ୍ଖଳା, ସଂସ୍କାର, କୃତଜ୍ଞତା ଓ ଏକତାର ଭାବନା ଜାଗ୍ରତ କରେ ବୋଲି ସେ ମତ ପ୍ରକାଶ କରିଥିଲେ। ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ଶିକ୍ଷା ବିଭାଗ, ସ୍କୁଲ ପରିଚାଳନା କମିଟି, ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ