
କେନ୍ଦୁଝର, ୩୧ ଅଗଷ୍ଟ (ହି.ସ.) - କେନ୍ଦୁଝରର ପର୍ଯ୍ୟଟନ ଭିତିଭୂମିକୁ ସୁଦୃଢ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଡାବରଚୁଆ ପାର୍କର ବିକାଶ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବ୍ୟବସ୍ଥା ନିମନ୍ତେ ଆନୁମାନିକ ୫.୯୯ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ ପ୍ରୟାସ ଫଳରେ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ମଜବୁତ କରିବା ଓ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଶାସନିକ ଅନୁମୋଦନ ଅନୁଯାୟୀ, ଏହି ପ୍ରକଳ୍ପରେ ଏକ ସ୍ୱାଗତ ତୋରଣ, ପାର୍କିଂ ସ୍ଥାନ, ଆଠଟି ଭେଣ୍ଡିଂ ଜୋନ, ଦୁଇଟି ଶୌଚାଳୟ ପରିସର, ପାନୀୟ ଜଳ ସୁବିଧା, ପରିସର ମଧ୍ୟରେ ଚାଲିବା ପାଇଁ ରାସ୍ତା, ଶିଶୁ ଉଦ୍ୟାନ ଓ ଖେଳ ସରଞ୍ଜାମ, ସବୁଜିମା ଏବଂ ସୌନ୍ଦର୍ଯ୍ୟକରଣ, ବସିବା ପାଇଁ ବେଂଚ, ବିଶ୍ରାମ ଗୃହ, ସୂଚନା ଫଳକ, ଫୁଆରା ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ବ୍ୟବହାର୍ଯ୍ୟ ସୁବିଧା ଅନ୍ତର୍ଭୁକ୍ତ ରହିଛି।
ଏହି ପର୍ଯ୍ୟଟନ ପ୍ରକଳ୍ପ ପାଇଁ ସର୍ବମୋଟ ୫,୯୯,୦୩,୦୦୦ ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ପର୍ଯ୍ୟଟନ କାର୍ଯ୍ୟକ୍ରମ ବ୍ୟୟ ଏବଂ ରାଜ୍ୟ କ୍ଷେତ୍ର ଯୋଜନା ଅଧୀନରେ ପ୍ରଦାନ କରାଯିବ। ଏହି ମଞ୍ଜୁରୀରେ ବୈଦ୍ୟୁତିକ କାର୍ଯ୍ୟ, ଜନସ୍ୱାସ୍ଥ୍ୟ କାର୍ଯ୍ୟ, ଗୁଣବତା ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପାଦାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ଡାବରଚୁଆ ପାର୍କର ଏହି ବିକାଶ ପର୍ଯ୍ୟଟକ ମାନଙ୍କ ଅନୁଭୂତିକୁ ଯଥେଷ୍ଟ ସମୃଦ୍ଧ କରିବ ଏବଂ କେନ୍ଦୁଝରକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଉନ୍ନତ ମନୋରଞ୍ଜନ ସୁବିଧା, ସୌନ୍ଦର୍ଯ୍ୟକରଣ, ପାର୍କିଂ ଏବଂ ଅତ୍ୟାବଶ୍ୟକ ପର୍ଯ୍ୟଟକ ସୁବିଧା ସହିତ ଏହି ପାର୍କ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ପାଲଟିବ।
ଏହି ପ୍ରକଳ୍ପ ପାରମ୍ପରିକ ପର୍ଯ୍ୟଟନ ସ୍ଥଳୀ ବାହାରେ ଅନ୍ୟାନ୍ୟ ଅଂଚଳର ପର୍ଯ୍ୟଟନ ଭିତିଭୂମିର ବିକାଶ କରିବା ଏବଂ କେନ୍ଦୁଝରର ପର୍ଯ୍ୟଟନ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦର୍ଶାଉଛି। ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନମୂଳକ ହସ୍ତକ୍ଷେପ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ଏବଂ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA