ଦିନକରେ ୩ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ
ଦିନକରେ ୩ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ
ଦିନକରେ ୩ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ


ସମ୍ବଲପୁର, ୩୧, ଅଗଷ୍ଟ (ହି.ସ.) - ଦୁର୍ନୀତି ବିରୋଧୀ ଲଢ଼େଇରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ଗୋଟିଏ ଦିନରେ ୩ଟି ଭିଜିଲାନ୍ସ ମାମଲାରେ ୩ ଜଣ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଟି ଲାଂଚ ମାମଲା ଏବଂ ଗୋଟିଏ ଆୟ ବହିର୍ଭୂତ ସମ୍ପତି ମାମଲା ରହିଛି।

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଅବସରପ୍ରାପ୍ତ ଡାକ୍ତରଙ୍କୁ ୪ ବର୍ଷ ଜେଲ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡା. ଦେବେନ୍ଦ୍ରନାଥ ନାୟକ ଜଣେ ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ହାଇଡ୍ରୋସିଲ୍ ଅପରେସନ୍ କରିବା ପାଇଁ ଲାଂଚ ଦାବି ଓ ଗ୍ରହଣ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୪ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେବାପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଏଥିସହ ତାଙ୍କ ପେନ୍ସନ୍ ବନ୍ଦ ପାଇଁ ଭିଜିଲାନ୍ସ ସକ୍ଷମ କର୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନେବେ।

ଲାଂଚ ମାମଲାରେ ପୂର୍ବତନ କନିଷ୍ଠ ରାଜସ୍ୱ ଅଧିକାରୀଙ୍କୁ ଏକ ବର୍ଷ ଜେଲ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଧୀନ ଲାପଙ୍ଗା ରାଜସ୍ୱ ସର୍କଲର ପୂର୍ବତନ କନିଷ୍ଠ ରାଜସ୍ୱ ଅଧିକାରୀ ଦୁର୍ଗା ପ୍ରସାଦ ସାହୁ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦେବା ପାଇଁ ଆବେଦନ କାରୀଙ୍କ ଠାରୁ ଲାଂଚ ଦାବି ଓ ଗ୍ରହଣ କରିଥିବା ମାମଲାରେ ଦୋଷୀ ହୋଇଛନ୍ତି। ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏକ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଆଦେଶ ଦେଇଛନ୍ତି। ତାଙ୍କ ପେନ୍ସନ୍ ବନ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ସେହିପରି ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ପୂର୍ବତନ ମୃତିକା ସଂରକ୍ଷଣ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ପୁରୁଣା କଟକର ପୂର୍ବତନ ମୃତିକା ସଂରକ୍ଷଣ ଅଧିକାରୀ କାର୍ତିକେଶ୍ୱର ସାହୁ ଜଣାଶୁଣା ଆୟଠାରୁ ଅଧିକ ସମ୍ପତି ରଖିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏକ ବର୍ଷ କଠୋର କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ପେନ୍ସନ୍ ବନ୍ଦ ପାଇଁ ଭିଜିଲାନ୍ସ ପରବର୍ତୀ ପଦକ୍ଷେପ ନେବ ବୋଲି ଆଜି ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande