
କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ(ହି.ସ.) – ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦିଆଯାଉଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ ପରିସରର ଅସ୍ୱଚ୍ଛ ପରିବେଶ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ସମ୍ମିଳନୀ କକ୍ଷ ପରିସରରେ ଦୀର୍ଘଦିନ ଧରି ଲଟା, କଂଟା ଓ ଅଳିଆ ଆବର୍ଜନା ପଡ଼ି ରହିଥିବା ଅଭିଯୋଗ ହୋଇଛି। ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ନେଇ ପ୍ରତିଦିନ ଲୋକମାନେ ଆସୁଥିବାବେଳେ ବସିବା ପାଇଁ ଆବଶ୍ୟକ ସ୍ଥାନର ମଧ୍ୟ ଅଭାବ ଦେଖାଦେଇଛି। ଏପରିକି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଚେୟାରମ୍ୟାନ କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ଅଳିଆ ଆବର୍ଜନା ପଡ଼ି ରହିଥିବା ଅଭିଯୋଗ ରହିଛି। ଅଳିଆ ଆବର୍ଜନା ଯୋଗୁଁ ବିଭିନ୍ନ ପ୍ରକାର ବିଷଧର ସାପ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଛି। ଦୀର୍ଘଦିନ ଧରି ସଫେଇ ହେଉନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସ୍ୱଚ୍ଛତା ଅଭିଯାନର ବାର୍ତା ଦେଉଥିବା ପ୍ରଶାସନିକ କାର୍ଯ୍ୟାଳୟ ନିଜେ ଯଦି ଅସ୍ୱଚ୍ଛ ରହେ, ତେବେ ସ୍ୱଚ୍ଛ ଭାରତ ଅଭିଯାନର ବାସ୍ତବ ଚିତ୍ର ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତୁରନ୍ତ ଅଳିଆ ଆବର୍ଜନା ସଫେଇ କରି ପରିସରକୁ ସ୍ୱଚ୍ଛ ରଖିବାକୁ ସାଧାରଣରେ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି